୧୨ ଟନ୍‌ ବିପଜ୍ଜନକ ରାସାୟନିକ ନେଇ ଯାଉଥିବା ୟୁକ୍ରେନ୍‌ ବିମାନ ଦୁର୍ଘଟଣାଗ୍ରସ୍ତ…

ପଲେଖୋରି,୧୭।୭ : ଉତ୍ତର ଗ୍ରୀସର କାଭାଲା ସହର ନିକଟରେ ଏକ ୟୁକ୍ରେନ ଏୟାରଲାଇନ୍ସର କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦୁଇ ଘଣ୍ଟା ଧରି ବିସ୍ଫୋରଣ ଶୁଣି ନିଆଁ ଜଳୁଥିବା ଦେଖିଥିଲେ। ଗ୍ରୀକ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନଟି ସର୍ବିଆରୁ ଜୋର୍ଡାନକୁ ଯାଉଥିଲା। ସୋଭିଏତ ଦ୍ୱାରା ନିର୍ମିତ ଏହି ଟର୍ବୋପ୍ରୋପ ବିମାନ ମେରିଡିଆନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଗ୍ରୀକ ଗଣମାଧ୍ୟମ କହିଛି ଯେ ବିମାନରେ ଆଠ ଜଣକର୍ମଚାରୀ ଥିଲେ। ବିମାନରେ ୧୨ ଟନ ବିପଜ୍ଜନକ ରାସାୟନିକ ସାମଗ୍ରୀ ଥିଲା।

ତେବେ ବିମାନରେ କେଉଁ ସାମଗ୍ରୀ ରହିଥିଲା ସେ ସମ୍ପର୍କରେ ସେମାନଙ୍କର କୌଣସି ସଠିକ ସୂଚନା ନାହିଁ ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରବଳ ଦୁର୍ଗନ୍ଧ ହେତୁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିକଟସ୍ଥ ଦୁଇଟି ଅଞ୍ଚଳରେ ରହୁଥିବା ଲୋକଙ୍କୁ ରାତିସାରା ଝରକା ବନ୍ଦ ରଖିବାକୁ, ଘରୁ ବାହାରକୁ ନଆସିବାକୁ ଏବଂ ମାସ୍କ ପିନ୍ଧିବାକୁ କୁହାଯାଇଛି। ବିମାନରେ ବିପଜ୍ଜନକ ରାସାୟନିକ ପଦାର୍ଥ ଅଛି କି ନାହିଁ ତାହା ସେମାନେ ଜାଣି ନାହାଁନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

ଗ୍ରୀସର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ ପାଇଲଟ ବିମାନର ଗୋଟିଏ ଇଞ୍ଜିନରେ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ତାଙ୍କୁ ଥେସଲାନିକୀ କିମ୍ବା କାଭାଲା ବିମାନ ବନ୍ଦରରେ ଅବତରଣ କରିବାର ବିକଳ୍ପ ଦିଆଯାଇଥିଲା। ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବାକୁ ପଡିବ ବୋଲି କହି କାଭାଲାରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିଛି ସମୟ ପରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ବିମାନବନ୍ଦରର ପ୍ରାୟ ୪୦ କିଲୋମିଟର ପଶ୍ଚିମ ଦିଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ସ୍ଥାନୀୟ ଲୋକ ନିଆଁ ଏବଂ ଧୂଆଁ ଦେଖିଥିବାର ସୂଚନା ଦେଇଛନ୍ତି। ଅଗ୍ନିଶମ ସେବା ଘଟଣାସ୍ଥଳରେ ୪୦୦ ମିଟର ପରିସରକୁ କର୍ଡନ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Share