ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମେରିକାରେ ଯୋରଦାର ସ୍ୱାଗତ, ଜଲେନସ୍କି କହିଲେ କେବେ କରିବି ନାହିଁ ସରେଣ୍ଡର

ୱାଶିଂଟନ,୨୨ ।୧୨: ରୁଷିଆ ସହ ୟୁକ୍ରେନର ଯୁଦ୍ଧ ହେବା ପରଠାରୁ ଆମେରିକା ଲଗାତାର ଭାବେ ୟୁକ୍ରେନ ସହ ଠିଆ ହୋଇଚାଲିଛି । ଏଥିପାଇଁ ଆମେରିକା ପକ୍ଷରୁ ୟୁକ୍ରେନକୁ ଅନେକ ଥର ସାହାଯ୍ୟ ଦିଆଗଲାଣି । ଏହାପରେ ଏବେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି ଆମେରିକା ପହଞ୍ଚିଛନ୍ତି । ଏଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହ୍ୱାଇଟ ହାଉସରେ ସାକ୍ଷାତ୍ କରିଛନ୍ତି । ବାଇଡେନ ୟୁକ୍ରେନ ସହ ଥିବାରୁ ଜେଲନସ୍କି ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସାକ୍ଷାତକାର ପରେ ୨ ଦେଶ ପକ୍ଷରୁ ବୟାନ ଜାରି କରାଯାଇଛି । ଏହି ସମୟରେ ଜେଲନସ୍କି ସ୍ପଷ୍ଟ କରିଛନ୍ତି ଯେ ସେ କେବେ ବି ରୁଷିଆ ନିକଟରେ ସରେଣ୍ଡର କରିବେ ନାହିଁ ।
ଆମେରିକା ରୁଷିଆକୁ ପୁଣିଥରେ କଡା ବାର୍ତ୍ତା ଦେବାକୁ ଯାଇ ଜେଲନସ୍କିଙ୍କର ଖୋଲାଖୋଲି ଭାବେ ଯୋରଦାର ସ୍ୱାଗତ କରିଛି ଆଉ କହିଛି ୟୁକ୍ରେନ କେବେବି ଏକେଲା ରହିବ ନାହିଁ । କେବଳ ସେତିକି ନୁହେଁ ବାଇଡେନ ମଧ୍ୟ ୟୁକ୍ରେନକୁ ୧.୮୫ ଅରବ ଡଲାର ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହାସହ ଆମେରିକା ସାଂସଦମାନେ ବି ଜେଲନସ୍କିଙ୍କୁ ଠିଆ ହୋଇ ସ୍ୱାଗତ କରିବା ସହ ତାଙ୍କ ପାଇଁ ଖୁବ କରତାଳି ଦେଇଥିଲେ ।

Share