କିଭ୍,୨୮।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ତାଙ୍କ ପାଖ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହେବେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଦାବି କରିଛନ୍ତି। ରୁଷିଆ ଆକ୍ରମଣକୁ ବର୍ଷେ ପୂରିବା ନେଇ ୟୁକ୍ରେନ୍ ପକ୍ଷରୁ ଏକ ବୃତ୍ତଚିତ୍ର ନିର୍ମାଣ କରାଯାଇଛି, ଯେଉଁଥିରେ ଜେଲେନ୍ସ୍କି ଏପରି କହିଥିବା ଜଣାପଡ଼ିଛି। ତେବେ ଏହି ବୃତ୍ତଚିତ୍ରର ନଁା ‘ଇୟର୍’ ରହିଛି। ଆସନ୍ତା ଶୁକ୍ରବାର ଏହି ଡକ୍ୟୁମେଣ୍ଟାରି ରିଲିଜ୍ କରାଯିବାର ଯୋଜନା ରହିଛି। ପୁଟିନ୍ଙ୍କ କାର୍ଯ୍ୟପ୍ରଣାଳୀରେ ଅତିଷ୍ଠ ହୋଇ ଅତି ନିକଟ ସହଯୋଗୀ ତାଙ୍କ ବିରୋଧରେ ଯିବେ। ଏହାପରେ ସେମାନଙ୍କୁ ପୁଟିନ୍ଙ୍କ ଭଳି ଜଣେ ହତ୍ୟାକାରୀଙ୍କୁ ଜୀବନରୁ ମାରିବା ପାଇଁ କାରଣ ମିଳିଯିବ। ଏହା ସୁନିଶ୍ଚିତ ହେବ। କିିନ୍ତୁ କେବେ ହେବ ତାହା କହିପାରିବି ନାହିଁ ବୋଲି ଜେଲେନ୍ସ୍କି କହିଛନ୍ତି। ଯୁଦ୍ଧକ୍ଷେତ୍ରରେ ରୁଷୀୟ ସୈନ୍ୟ ଅଭିଯୋଗ କରୁଥିବା ଏବଂ କାନ୍ଦୁ ଥିବାର ଭିଡିଓ ବହୁଳ ପ୍ରସାର ହେବାରେ ଲାଗିଛି। ଏହାକୁ ନେଇ ‘ଦ ଓ୍ବାଶିଂଟନ୍ ପୋଷ୍ଟ’ ପକ୍ଷରୁ କୁହାଯାଇଥିଲା ଯେ, ପୁଟିନ୍ଙ୍କ କେତେଜଣ ଖାସ୍ ସହଯୋଗୀ ତାଙ୍କ ଉପରେ ନିରାଶ ହୋଇଛନ୍ତି। ଶେଷରେ ୟୁକ୍ରେନ୍ର ବିଜୟ ହେବ ଏବଂ ଜାତୀୟ ପତାକା ଦେଶର ପ୍ରତି କୋଣଅନୁକୋଣରେ ଉଡ଼ିବ ବୋଲି ଜେଲେନ୍ସ୍କି କହିଛନ୍ତି।