ବିଭିନ୍ନ ଦେଶରୁ ସହଯୋଗ ଲୋଡୁଛି ୟୁକ୍ରେନ

କ୍ୱିଭ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବାକୁ ୟୁକ୍ରେନ ବି ପ୍ରସ୍ତୁତ। ଏହି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟଙ୍କୁ ସହଯୋଗ କରିବାକୁ ଆଗେଇବାକୁ ଆସିଛନ୍ତି। ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ସେନା ପୋଷାକରେ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି ଜେଲେନସ୍କି। ତାଙ୍କ ଏହି ଅବତାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାଷ୍ଟ୍ରପତି ଭୋଲୋଡିମିର କ୍ରମାଗତ ଭାବେ ସାହାଯ୍ୟ ପାଇଁ ଭିନ୍ନ ଭିନ୍ନ ଦେଶ ସହ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ଜେଲେନସ୍କି ରୁଷିଆ ଆକ୍ରମଣ କରିଥିବା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏଥିସହ ଜେଲେନସ୍କି ଯବାନଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ସୈନ୍ୟଙ୍କ ମନୋବଳ ବଢ଼ାଇବା ସହ ରୁଷିଆକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିଥିଲେ। ସୂଚନା ମୁତାବକ ରୁଷିଆର ଆକ୍ରମଣର ଠିକ୍‌ ପରେ ୟୁକ୍ରେନ ରାଷ୍ଟ୍ରପତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ରୁଷିଆ ବିରୋଧରେ ସମସ୍ତ ଦେଶ ଆଗକୁ ଆସିବାକୁ ପଡ଼ିବ। ଇତିମଧ୍ୟରେ ରୁଷିଆକୁ ନାଟୋ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନାଟୋ ଦୃଢ଼ ନିନ୍ଦା କରି କହିଛି, ତୁରନ୍ତ ରୁଷିଆ ସୈନ୍ୟ ୟୁକ୍ରେନ ଛାଡ଼ନ୍ତୁ। ରୁଷିଆର ଏଭଳି କାର୍ଯ୍ୟ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ନାଟୋର ଜେନେରାଲ ସେକ୍ରେଟାରୀ ଜେନ୍ସ ଷ୍ଟୋଲେଟେନ୍‌ବର୍ଗ କହିଛନ୍ତି। ଯଦି ରୁଷିଆ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ନ କରେ ତେବେ ଏହାର ପରବର୍ତ୍ତୀ ପରିଣତି ଭୟଙ୍କର ହେବ ବୋଲି ନାଟୋ ପକ୍ଷରୁ କୁହାଯାଇଛି।

Share