ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଚେତାବନୀ: ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ

କ୍ୱିଭ୍‌,୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ରୁଷିଆ ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କ୍ୱିଭକୁ ଘେରି ରହିଛନ୍ତି। ଆଜି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ୟୁକ୍ରେନରୁ ରୁଷିଆର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ ମଧ୍ୟ ଏକ ସଂକଳ୍ପ ପାରିତ କରିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ଗୁରୁବାର ଅନୁଷ୍ଠିତ ହେବ।
ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଣି ରୁଷିଆକୁ ଚୋବନୀ ଦେଇଛନ୍ତି। ସେ କହିଛନ୍ତି, ରୁଷିଆର ସୈନିକମାନଙ୍କ ମୃତଦେହକୁ ୟୁକ୍ରେନ ମାଟିରେ ପୋତିବାକୁ ଚାହୁଁନାହିଁ। ତେଣୁ ବଞ୍ଚିବାକୁ ଚାହୁଁଛ ତ ଘରକୁ ଫେରିଯାଅ। ଜେଲେନସ୍କି ଦାବି କରିଛନ୍ତି ଯେ, ୟୁକ୍ରେନ ସୈନ୍ୟ ଏକ ସପ୍ତାହରେ ୯,୦୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ଏହା ବ୍ୟତୀତ ୨୧୮ ଟ୍ୟାଙ୍କ, ୯୦୦ ଏପିଭି, ୯୦ଟି ତୋପ, ୧୧ଟି ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୩୧ଟି ହେଲିକପ୍ଟର, ୩୦ଟି ବିମାନ, ୬୦ଟି ଇନ୍ଧନ ଟ୍ୟାଙ୍କ ଇତ୍ୟାଦି ସାମିଲ ଅଛି।
ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।

Share