୫୭ କୋଟି ଟଙ୍କାର ୟଟ୍‌ ବୁଡାଇବାକୁ ଉଦ୍ୟମ କଲେ ୟୁକ୍ରେନ ନାବିକ

କ୍ୱିଭ,୧।୩: ରୁଷିଆନ ମାଲିକଙ୍କ ବିଳାସପୂର୍ଣ୍ଣ ୟଟ୍‌ (ଜାହାଜ)କୁ ବୁଡାଇ ଦେବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ୟୁକ୍ରେନ ନାବିକ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବିରୋଧ କରିବା ପାଇଁ ତାରାସ ଓସ୍ତାପଚୁକ୍‌ (୫୫) ୧୫୬ ଫୁଟ୍‌ ଉଚ୍ଛ ଜାହାଜକୁ ବୁଡ଼ାଇ ଦେବା ଉଦ୍ଦେଶ୍ୟରେ ଇଞ୍ଜିନ ରୁମ୍‌ର ଭଲଭ ଖୋଲି ଦେଇଥିଲେ। ସ୍ପେନର ମାଲୋର୍କାଠାରେ ୟଟ୍‌କୁ ଡକ୍‌ କରାଯାଇଥିବା ବେଳେ ଜଣେ ଶିପ୍‌ ଇଞ୍ଜିନିୟର ଓସ୍ତାପଚୁକ୍‌ ଜାହାଜକୁ ବୁଢ଼ାଇ ଦେବାକୁ ଉଦ୍ୟମ କରିଥିଲେ।

ତାଙ୍କୁ ସ୍ପେନର ସିଭିଲ ଗାର୍ଡ ଶନିବାର ଗିରଫ କରିଛି। ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେ ବିଚାରପତିଙ୍କ ଆଗରେ ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରୁ ନ ଥିବା କହିଥିଲେ।

“ମୁଁ ଯାହା କରିଛି, ସେଥି ଲାଗି ମୁଁ ଅନୁତପ୍ତ ନୁହେଁ। ମୁଁ ପୁଣି ଥରେ କରିବି” ବୋଲି ୟୁକ୍ରେନ ନାଗରିକ କହିଥିଲେ। ସେ କହିଥିଲେ ତାଙ୍କ ମାଲିକ ଜଣେ ଅପରାଧୀ, ଯିଏକି ୟୁକ୍ରେନ ଲୋକଙ୍କ ଜୀବନ ନେଉଥିବା ଅସ୍ତ୍ରକୁ ବିକନ୍ତି। ଉଲ୍ଲେଖଯୋଗ୍ୟ, ୧୫୬ ଫୁଟ୍‌ ଲମ୍ବା ୟଟ୍‌ ‘ଦ ଲେଡି ଆନାସ୍ତାସିଆ’ର ମାଲିକ ହେଉଛନ୍ତି ଆଲେକ୍ସଜାଣ୍ଡର ମିଜୀବ। ସେ ରୋଜବୋରୋନେକ୍ସପୋର୍ଟର ସିଇଓ। ଏହି କମ୍ପାନୀ ଅସ୍ତ୍ର, ଜାହାଜ, ଟ୍ୟାଙ୍କ ଓ ଯୁଦ୍ଧ ବିମାନ ଭଳି ପ୍ରତିରକ୍ଷା ବସ୍ତୁ ରୁଷିଆକୁ ଯୋଗାଏ।

Share