ରୁଷିଆ ବିରୋଧରେ ଅସ୍ତ୍ର ଉଠାଇଲେ ୟୁକ୍ରେନ ଗାୟକ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ସପ୍ତମ ଦିନରେ ବି ସଂଘର୍ଷ ଜାରି ରହିଛି। ପାରସ୍ପରିକ ବିବାଦ ହେତୁ ଦୁଇ ଦେଶ ମଧ୍ୟରେ ଜୋରଦାର ଲଢେଇ ଚାଲିଥିବା ବେଳେ ଲଗାତର ଭାବେ ରୁଷିଆ ସୈନ୍ୟ ୟୁକ୍ରେନର ବିଭିନ୍ନ ସହର ଉପରକୁ ବୋମାମାଡ଼ କରୁଛନ୍ତି। ଏହି ଯୁଦ୍ଧ ଯୋଗୁ ଦୁଇ ଦେଶର ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଅନ୍ୟପଟେ ୟୁକ୍ରେନକୁ ବଞ୍ଚାଇବା ପାଇଁ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ମଧ୍ୟ ଆଗକୁ ଆସିଛନ୍ତି। ଏହି ଆକ୍ରମଣରେ ନିଜ ଦେଶକୁ ବଞ୍ଚାଇବା ପାଇଁ ସାଧାରଣ ନାଗରିକ ଅସ୍ତ୍ର ଉଠାଇଥିବା ଜଣାପଡ଼ିଛି। ଯୁଦ୍ଧ ସଙ୍କଟକୁ ନେଇ ଅନେକ ଦେଶର ରାଜନେତାମାନେ ଉଭୟ ଦେଶକୁ ଶାନ୍ତି ରକ୍ଷା କରିବା ଲାଗି ନିବେଦନ କରୁଛନ୍ତି। କିନ୍ତୁ ସ୍ଥିତିରେ ଏପର୍ଯ୍ୟନ୍ତ କୌଣସି ସୁଧାର ଆସି ନ ଥିବା ବେଳେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିପଡ଼ିଛି। ଇତିମଧ୍ୟରେ ୟୁକ୍ରେନର ଜଣେ ଲୋକପ୍ରିୟ ଗାୟକ ଏଣ୍ଡ୍ରି ଖଲିବନ୍ୟୁକ ହାତରେ ଅସ୍ତ୍ର ଧରି ଏକ ଗୀତ ଗାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ୟୁକ୍ରେନର ନାଗରିକ ତଥା ସେଲିବ୍ରିଟିମାନେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସାମ୍ନା କରିବାକୁ ଆସିଛନ୍ତି। ଏହି ଭିଡିଓରେ ଗାୟକ ଏଣ୍ଡ୍ରି ସେନାର ଏକ ପୋଷାକ ପିନ୍ଧିବା ସହ ହାତରେ ଏକ ଅସ୍ତ୍ର ଧରି ଫକ୍‌ ଗୀତ ଗାଉଥିବାର ନଜର ଆସିଛନ୍ତି। ତାଙ୍କୁ ଦେଖିଲେ ଯେଭିଳି ଲାଗୁଛି ସେ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ପ୍ରସ୍ତୁତ କରୁଛନ୍ତି। ଏହି ଭିଡ଼ିଓଟିକୁ ଟୁଇଟରରେ ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୯ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହାକୁ ଲାଇକ୍‌ ଓ କମେଣ୍ଟ କରିଛନ୍ତି।

Share