Categories: ବାଣିଜ୍ୟ

ଋଣ ପ୍ରକ୍ରିୟାକୁ ସରଳ କରିବ ୟୁଏଲ୍‌ଆଇ

ଭୁବନେଶ୍ୱର,୨୭।୮(ଅନୁରାଧା ମହାରଣା) : ଡିଜିଟାଲ ବ୍ୟାଙ୍କିଙ୍ଗ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତବର୍ଷ ଏକ ନୂତନ ଯୋଜନାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଉଦ୍ଦେଶ୍ୟରେ ଫ୍ରିକ୍‌ସନ୍‌ଲେସ୍‌ କ୍ରେଡିଟ୍‌ ପ୍ଲାଟ୍‌ଫର୍ମ ନାମକ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ପ୍ଲାଟ୍‌ଫର୍ମର ନାମକୁ ୟୁନିଫାଏଡ୍‌ ଲୋନ୍‌ ଇଣ୍ଟରଫେସ୍‌(ୟୁଏଲ୍‌ଆଇ)ରେ ପରିବର୍ତ୍ତନ କରାଯାଇଛି। ବେଙ୍ଗାଲୁରୁରେ ଦେଇଥିବା ଅଭିଭାଷଣରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ୟୁଏଲ୍‌ଆଇ ଋଣ ପ୍ରଦାନ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ବିତ କରିବ। ଏହାସହିତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡିକ ଋଣ ଦେବା ସହଜ ହେବ। ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଗୋଟିଏ ସ୍ଥାନରୁ ଜମି ରେକର୍ଡ ପରି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସୂଚନା ପାଇବେ। ଫଳରେ ପ୍ରକ୍ରିୟାକରଣରେ ଜଡ଼ିତ ଉଭୟ ସମୟ ଏବଂ କାଗଜପତ୍ରକୁ ହ୍ରାସ କରିବ ବୋଲି ଆଶା କରାଯାଉଥିତ୍ା ଗଭର୍ନର ଦାସ କହିଛନ୍ତି। ଗଭର୍ନର ଆହୁରି କହିଛନ୍ତି, ଦେଶର ଛୋଟ ଗାଁ ଓ ସହର ଏବଂ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ୟୁଏଲ୍‌ଆଇ ଅଧିକ ଲାଭ ଦେବ। ପ୍ଲଗ୍‌ ଏବଂ ପ୍ଲେ ମଡେଲ ଆଧାରରେ ୟୁଏଲ୍‌ଆଇ ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ଯେକୌଣସି ସଂସ୍ଥା ଏହାକୁ ସହଜରେ ଗ୍ରହଣ କରିପାରିବେ। ପାଇଲଟ୍‌ ପ୍ରକଳ୍ପର ଭଲ ଅଭିଜ୍ଞତାକୁ ଆଧାରକରି ଖୁବ୍‌ଶୀଘ୍ର ୟୁଏଲ୍‌ଆଇ ସାରା ଦେଶରେ କାର୍ଯ୍ୟକାରୀ ହେବ। ସୂଚନାଥାଉ କି, ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଡିପିଆଇ) ବ୍ୟାପକ ଭାବେ ସର୍ବସାଧାରଣ ଡୋମେନରେ ନିର୍ମିତ କୋର ଟେକ୍ନୋଲୋଜି ସିଷ୍ଟମକୁ ବୁଝାଏ। ଏହା ଉପଭୋକ୍ତା ଏବଂ ଅନ୍ୟ ବିକାଶକାରୀଙ୍କ ପାଇଁ ମୁକ୍ତ ଭାବେ ଉପଲବ୍ଧ।

Share