Categories: ଖେଳ

ଅଲ୍‌ଟିମେଟ ଖୋ ଖୋ ଉଦଘାଟିତ

କଟକ,୨୫।୧୨ (ସୁପ୍ରିୟା ପ୍ରିୟଦର୍ଶିନୀ): ଅଲ୍‌ଟିମେଟ ଖୋଖୋର ଦ୍ୱିତୀୟ ସିଜିନର ଉଦ୍ଘାଟନୀ ମ୍ୟାଚରେ ବିଜୟୀ ହୋଇଛି ଡିଫେଣ୍ଡିଂ ଚାମ୍ପିୟନଓଡ଼ିଶା ଜଗରନଟ୍ସ। ପ୍ରଥମ ସିଜିନର ଟାଇଟଲ ବିଜେତା ଓଡିଶା ୩୫-୨୭ ବ୍ୟବଧାନରେ ରାଜସ୍ଥାନକୁ ପରାସ୍ତ କରିଛି। ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଆଲ୍ଟିମେଟ ଖୋ ଖୋ ଦ୍ୱିତୀୟ ସଂସ୍କରଣ ଉଦଘାଟିତ ହୋଇଯାଇଛି। ସମୁଦାୟ ୬ଟି ଦଳ ଏଥିରେ ଭାଗ ନେଇଛନ୍ତି। ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳା ଯିବ। ଖୋ ଖୋ ଇଣ୍ଡିଆ ସଭାପତି ସୁଧାଂଶୁ ମିତ୍ତଲ, ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ସିଇଓ ତେଞ୍ଜିଙ୍ଗ ନିୟୋଗି ଓ କମିଶନର ଏବଂ ଓ ତଥା ଭାରତ ମହିଳା ଖୋ ଖୋ ଦଳର ଅଧିନାୟିକା ନସରିନ ସେଖ, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସିଏମସି ମେୟର ସୁବାସ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ରବିବାରଠାରୁ ଆରମ୍ଭ ହେଇଥିବା ଏହି ଇଭେଣ୍ଟର ପ୍ରଥମ ଦିନରେ ୨ଟି ମ୍ୟାଚ ହୋଇଥିଲା। ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ୧୬ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୩୩ ଜଣ ଉଦୀୟମାନ ଯୁବକଙ୍କ ସମେତ ମୋଟ ୧୪୫ ଜଣ କ୍ରୀଡାବିତ୍‌ ଆଗାମୀ ୨୧ ଦିନ ମଧ୍ୟରେ ଏହି ଉତ୍ସାହଜନକ ପ୍ରତିଯୋଗିତାରେ ନଜର ଆସିବେ।
ପ୍ରଥମ ଦିନରେ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ରାଜସ୍ଥାନ ୱାରିୟର୍ସକୁ ୩୫ -୨୭ରେ ହରାଇଥିଲା। ରାଜସ୍ଥାନ ଟସ ଜିତି ଡିଫେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲା। ବିଜୟ ହାଜାରେ, ଦିଲରାଜ ସିଂ ଏବଂ ଜଗନ୍ନାଥ ମୁର୍ମୁ ପ୍ରଥମ ବ୍ୟାଚରେ କୋର୍ଟକୁ ଓହ୍ଲାଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇ ମିନିଟରୁ କମ ସମୟ ମଧ୍ୟରେ ତିନିଜଣଙ୍କୁ ଆଉଟ କରି ୬-୦ ଆଗୁଆ ରହିଥିଲା। ଏହା ପରେ ନନ୍ଦନ, ବୁଚନ୍ନଗରି ରାଜୁ ଏବଂ ଅକ୍ଷୟ ଗୋନାପୁଲେ ମଇଦାନକୁ ଓହ୍ଲାଇଥିଲେ । ପାୱାର ପ୍ଲେ ସହିତ ଓଡ଼ିଶା ଏହାର ଜବାବ ଦେଇଥିଲା ଏବଂ ୨.୩୩ ମିନିଟ ବାକି ଥିବାବେଳେ ୧୦-୦ ଅଗ୍ରଣୀ ନେଇଥିଲ। ପରବର୍ତ୍ତୀ ବ୍ୟାଚରେ ରାଜସ୍ଥାନର ଅଧିନାୟକ ମଜହର ଜାମଦାର, ସୌରଭ ଗାଡେ ଏବଂ ନୀଲେଶ ପାଟିଲ ସାମିଲ ହୋଇଥିଲେ। ଏହି ପର୍ଯ୍ୟାୟ ଶେଷ ହେବା ବେଳକୁ ଓଡିଶା ୧୬-୦ ରେ ଆଗରେ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଡିଫେଣ୍ଡ କରିବାକୁ ଓଡ଼ିଶା ବାହାରିଥିଲା। ଏଥିରେ ଗୌତମ ଏମ କେ, ବିଶାଲ ଏବଂ ରୋହନ ପ୍ରଥମ ବ୍ୟାଚରେ ଓହ୍ଲାଇଥିଲେ। ଏହି ସମୟରେ ରାଜସ୍ଥାନ ସ୍କାଏ ଡାଇଭରୁ ଦୁଇଟି ପଏଣ୍ଟ ହାସଲ କରିଥିଲା। ୩.୪୧ ମିନିଟ ବେଳକୁ ସ୍କୋର ୧୭-୬ ହୋଇଯାଇଥିଲା। ଅକ୍ଷୟ ମସାଲ ୮ ପ୍ୟାଣ୍ଟ ସ୍କୋରକରି ଓଡ଼ିଶା ଜଗରନଟ୍ସ ବିଜୟରେ ବୃହତ ଯୋଗଦାନ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ତେଲୁଗୁ ଯୋଦ୍ଧା ସଂଘର୍ଷପୂର୍ଣ୍ଣ ୪୬-୪୪ ପଏଣ୍ଟରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଛି। ଏକଦା ମୁମ୍ବାଇ ୨୬-୨୨ରେ ଆଗୁଆ ରହିଥିଲେ ମଧ୍ୟ ଯୋଦ୍ଧା ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ ଜିତି ନେଇଥିଲେ।

Share