ଅଲ୍‌ଟ୍ରା ଲଗ୍‌ଜୁରି ‘ସୁପର ସବ୍‌’

ଆମ୍‌ଷ୍ଟରଡାମ୍‌, ୨୭।୧୧: ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକଙ୍କ ଇଚ୍ଛା। ସେଥିପାଇଁ ଯାତ୍ରା ରୋମାଞ୍ଚକର ହେବା ଆବଶ୍ୟକ। ଯାତ୍ରୀମାନଙ୍କ ଏହି ଆଶା ପୂରଣ କରିବା ପାଇଁ ବହୁ ଇଞ୍ଜିନିୟର ବିଭିନ୍ନ ପ୍ରକାର ଯାନ ତିଆରି କରିବାରେ ଲାଗିଛନ୍ତି। ଆକାଶ ଯାତ୍ରା ସ୍ବତଃ ରୋମାଞ୍ଚପୂର୍ଣ୍ଣ ହୋଇଥିବାବେଳେ ବୁଡା ଜାହାଜ ଯାତ୍ରୀଙ୍କୁ ସମାନ ଅନୁଭୂତି ପ୍ରଦାନ କରିବ ଅଲ୍‌ଟ୍ରା ଲଗ୍‌ଜୁରି ସବ୍‌ମେରାଇନ୍‌ ‘ସୁପର୍‌ ସବ୍‌’ ଜାହାଜ, ଯେଉଁଥିରେ ଏକକାଳୀନ ୩ ଜଣ ବସି ଯାତ୍ରା କରିପାରିବେ।
ନେଦରଲାଣ୍ଡସ୍‌ ୟୁ-ବୋଟ୍‌ ଓ୍ବେର୍କ୍ସ କମ୍ପାନୀ ଏହି ଅଲ୍‌ଟ୍ରା ଲଗ୍‌ଜୁରି ସବ୍‌ମେରାଇନ୍‌ ‘ସୁପର୍‌ ସବ୍‌’ ଜାହାଜ ତିଆରି କରିଛି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଏହା ବଜାରରେ ଉପଲବ୍ଧ ହେବ। ଏ ନେଇ କମ୍ପାନୀ ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏହାର ମୂଲ୍ୟ ୫.୮ ନିୟୁତ ଡଲାର ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବଜାର ପ୍ରବେଶ ପରେ ସୁପର ସବ୍‌ର ମୂଲ୍ୟରେ ପରିବର୍ତ୍ତନ କରାଯିବ। ୯୮୪ ଫୁଟ୍‌ (ପାଖାପାଖି ୩୦୦ ମିଟର) ଗଭୀର ଜଳରାଶିରେ ସୁପର ସବ୍‌ ଜାହାଜ ଘଣ୍ଟା ପ୍ରତି ୧୧ ମିଟର ଦୂର ଅତିକ୍ରମ କରିବା ଲାଗି ସକ୍ଷମ। ବଟଲ୍‌ ନେରଜ୍‌ ଡଲଫିନ୍‌ ତୁଳନାରେ ଏହି ଲଗ୍‌ଜୁରି ଜାହାଜ ୫ରୁ ୭ କିଲୋମିଟର ଅଧିକ ବେଗରେ ଜଳ ଭିତରେ ଯାତ୍ରା କରିପାରିବ। ଅନ୍ୟ ଜାହାଜ ଅପେକ୍ଷା ସୁପର ସବ୍‌ ୧୨.୯୬୪ କିଲୋମିଟର ଅଧିକ ସ୍ପିଡ୍‌ରେ ଯାତ୍ରା କରୁଥିବା ୟୁ-ବୋଟ୍‌ ଓ୍ବେର୍କ୍ସ ପକ୍ଷରୁ କୁହାଯାଇଛି। ସୁପର ସବ୍‌ ଯାତ୍ରୀଙ୍କୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଇବ । ଗଭୀର ଜଳ ମଧ୍ୟରେ ରହୁଥିବା ବିରଳ ପ୍ରଜାତିର ଜୀବଙ୍କୁ ନିକଟରୁ ଦେଖିବାର ସୁଯୋଗ ମଧ୍ୟ ମିଳିବ । ଅନ୍ୟପକ୍ଷେ ଏହି ସ୍ବତନ୍ତ୍ର ପ୍ରକାର ଜାହାଜ ତିଆରି କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ବେଶ୍‌ ଉତ୍ସାହିତ ଥିବା ୟୁ-ବୋଟ୍‌ ଓ୍ବେର୍କ୍ସ ସିଇଓ ବର୍ଟ ହୋଟମାନ୍‌ ସୂଚନା ଦେଇଛନ୍ତି।

Share