Categories: ଜାତୀୟ

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି। ୨୦୧୯ରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରଠାରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଛି। ଆସନ୍ତା ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକ ସଭା ନିର୍ବାଚନ ଥିବା ବେଳେ ତାଙ୍କୁ ଦଳରେ ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଉମା ଭାରତୀ ଅନୁଭବ କରୁଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ପ୍ରବେଶକୁ ଦଳର ଅନ୍ୟ ନେତାମାନେ ବିରୋଧ କରୁଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ ଖଜୁରାହୋରୁ ଏବେ ଭାଜପା ରାଜ୍ୟ ସଭାପତି ଭି.ଡି. ଶର୍ମା ଏମ୍‌ପି ଥିବାବେଳେ ଭୋପାଳରୁ ପ୍ରଜ୍ଞା ସିଂ ଠାକୁର ଏବଂ ଝାନ୍ସିରୁ ଅନୁରାଗ ଶର୍ମା ପ୍ରତିନିଧିତ୍ୱ କରୁଛନ୍ତି।

ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ଅଗ୍ନିବର୍ଷୀ ନେତ୍ରୀ ଉମା ଭାରତୀ ୩ ଦିନ ପୂର୍ବରୁ ଛିନ୍ଦଓ୍ବାରାଠାରେ ଗଣମାଧ୍ୟମକୁ କହିଥିଲେ, ଭଗବାନ ରାମ ଏବଂ ହନୁମାନ ଭାଜପାର ପେଟେଣ୍ଟ ନୁହନ୍ତି। ସେମାନଙ୍କୁ ଭକ୍ତି କରିବାର ଅଧିକାର ଏହି ଦଳକୁ ମିଳିନାହିଁ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ। ଭାଜପା ଏବଂ ଜନସଂଘ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମ ଏବଂ ହନୁମାନ ରହିଥିଲେ। ମୋଗଲ ଏବଂ ବ୍ରିଟିଶ ଶାସନ କାଳରେ ମଧ୍ୟ ରାମ, ହନୁମାନଙ୍କ ଅବସ୍ଥିତି ଥିଲା। ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ନିର୍ବାଚନ ମଣ୍ଡଳୀ ଛିନ୍ଦଓ୍ବାରାର ସେମାରିଆଠାରେ ୧୦୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତି ସହ ବିଶାଳ ମନ୍ଦିର ନିର୍ମାଣ କରିଥିବାରୁ ଭାଜପା ରାମ ଏବଂ ହନୁମାନଙ୍କ ନାଁରେ ଶପଥ ନେବ କି ବୋଲି ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ ଉମା ଭାରତୀ ଏହା କହିଥିଲେ।

ଭଗବାନଙ୍କୁ ପୂଜା କରିବା ଅଧିକାର ସମସ୍ତଙ୍କର ରହିଛି। ଭାଜପାର କେତେଜଣ ରାମ ମନ୍ଦିରକୁ ନେଇ ପରିହାସ କରୁଥିବାବେଳେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ଲୋକେ ମଧ୍ୟ ଚାନ୍ଦା ଦେଇଥିବା ସେ କହିଥିଲେ। ଏହାର ୪ ଦିନ ପୂର୍ବରୁ ଉମା ଭାରତୀ ଓବିସି ଲୋଧି ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବୋଧନ କରି ଭାଜପାକୁ ଭୋଟ ଦେବା ଜରୁରୀ ନୁହେଁ, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦିଅ ବୋଲି କହିଥିଲେ।

Share