Categories: ଖେଳ

୭ ଦିନ ତଳେ ପିତାଙ୍କୁ ହରାଇଥିଲେ, ଏବେ ଛକା ମାରି କୋହଲିଙ୍କ ସମକକ୍ଷ ହେଲେ

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ବିରାଟ କୋହଲି (୨୨) ଭାରତର ସର୍ବାଧିକ ସ୍କୋରର ହୋଇଥିଲେ। ଏଥି ସହିତ ୭ ଦିନ ପୂର୍ବରୁ ପିତାଙ୍କୁ ହରାଇଥିବା ଉମେଶ ଯାଦବ ଲୋକଙ୍କ ହୃଦୟ ଜିତିଥିଲେ। ଉମେଶ ୧୩ଟି ବଲରେ ୨ ଛକା ଏବଂ ଗୋଟିଏ ଚୌକା ସହାୟତାରେ ୧୭ ରନ କରିଥିଲେ।
ଉମେଶ ତାଙ୍କ କ୍ଷୁଦ୍ର ଇନିଂସରେ ବିରାଟ କୋହଲିଙ୍କ ଏକ ସ୍ବତନ୍ତ୍ର ରେକର୍ଡ ସହ ସମକକ୍ଷ ହୋଇଥିଲେ। କେବଳ ଏତିକି ନୁହେଁ, ଯୁବରାଜ ସିଂ ଏବଂ ରବି ଶାସ୍ତ୍ରୀଙ୍କ ପରି ଭେଟେରାନଙ୍କୁ ମଧ୍ୟ ପଛରେ ପକାଇଥିଲେ।
ଇନ୍ଦୋର ଟେଷ୍ଟର ପ୍ରଥମ ଦିନରେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଉମେଶ ଯାଦବ ଅଷ୍ଟ୍ରେଲୀୟ ସ୍ପିନର ମାଥ୍ୟୁ କୁହାନମ୍ୟାନଙ୍କ ବଲ୍‌ରେ ଦୁଇଟି ଛକା ମାରିଥିଲେ। ଏହା ସହ ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲିଙ୍କ ସମକକ୍ଷ ହୋଇଥିଲେ। ବର୍ତ୍ତମାନ ବିରାଟ କୋହଲି ଏବଂ ଉମେଶ ଯାଦବ ଟେଷ୍ଟରେ ୨୪-୨୪ ଛକା ମାରିଛନ୍ତି।
ଉମେଶ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ତଥା କ୍ରିକେଟର୍‌ ରବି ଶାସ୍ତ୍ରୀ ଏବଂ ଯୁବରାଜ ସିଂଙ୍କୁ ପଛରେ ପକାଇଛନ୍ତି। ଟେଷ୍ଟରେ ତାଙ୍କ ନାମରେ ୨୨-୨୨ ଛକା ଅଛି। ବୀରେନ୍ଦ୍ର ସେହ୍ବାଗ ୯୧ଟି ଛକା ସହ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ଛକା ମାରିଛନ୍ତି। ମହେନ୍ଦ୍ର ସିଂ ଧୋନୀ ୭୮ଟି ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share