Advertisement
Categories: ଖେଳ

ଅମ୍ପାୟରଙ୍କୁ କରିଥିଲେ ଭୟଭୀତ: କୁରାନଙ୍କ ୪ ମ୍ୟାଚ୍‌ ବାସନ୍ଦ ଆବେଦନ ଖାରଜ

ସିଡ୍‌ନୀ,୨୫।୧୨: ଇଂଲଣ୍ଡ ଖେଳାଳି ଟମ୍‌ କୁରାନଙ୍କ ଉପରୁ ୪ଟି ମ୍ୟାଚ୍‌ ବାସନ୍ଦ ଦଣ୍ଡ ପ୍ରତ୍ୟାହାର କରିବା ଲାଗି କରିଥିବା ଆବେଦନ ନାକଚ ହୋଇଯାଇଛି। ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ର ଜଣେ ଅମ୍ପାୟରକୁ ଭୟଭୀତ କରିବା ଅଭିଯୋଗରେ ସେ ଦଣ୍ଡିତ ହୋଇଛନ୍ତି।

ଡିସେମ୍ବର ୧୧ରେ ହୋବାର୍ଟ ହରିକେନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ସିଡ୍‌ନୀ ସିକ୍ସର୍ସ ଟିମ୍‌ର ଓ୍ବାର୍ମଅପ୍‌ ବେଳେ ଏହି ଘଟଣା ଘଟିଥିଲା। ଘଟଣାର ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି, ଓ୍ବାର୍ମଅପ୍‌ ବେଳେ ଉଇକେଟଠାରୁ ଦୂରେଇ ଯିବା ଲାଗି ଅମ୍ପାୟର କୁରାନଙ୍କୁ ଆଦେଶ ଦେଇଥିଲେ। ମାତ୍ର ସେ ତାହାକୁ ପାଳନ କରି ନ ଥିଲେ।

ଇଂଲଣ୍ଡ ତରଫରୁ ୩ଟି ଫର୍ମାଟରେ ଖେଳୁଥିବା କୁରାନ ଚତୁର୍ଥ ସିଜନ ପାଇଁ ସିଡ୍‌ନୀ ସିକ୍ସର୍ସ ଦଳ ତରଫରୁ ଖେଳୁଛନ୍ତି। ପରେ ସେ ଅନ୍ୟ ଏକ ରନର ଅପ୍‌ ଅଭ୍ୟାସ ବେଳେ ଉଇକେଟର ଅପରପାର୍ଶ୍ୱକୁ ଦୌଡ଼ିଥିଲେ। ସେ ସମୟରେ ଅମ୍ପାୟରଙ୍କ ସହିତ ତାଙ୍କର ଧକ୍କା ବାଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯିଏ କି ବୋଲିଂ କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ପିଚ୍‌ରେ ପ୍ରବେଶକୁ ବାରଣ କରିଥିଲେ। ଫଳତଃ କୁରାନ ଓ ଅମ୍ପାୟରଙ୍କ ମଧ୍ୟ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସ୍ପଷ୍ଟ କରି ଦିଆଯାଇଛି ଯେ, କୁରାନଙ୍କ ଅପିଲଙ୍କୁ ଅଗ୍ରାହ୍ୟ କରାଯିବା ସହ ଇଂଲଣ୍ଡର ଏହି ଅନ୍ତର୍ଜାତୀୟ ଅଲରାଉଣ୍ଡରଙ୍କ ବିରୋଧରେ ଲାଗୁ କରାଯାଇଥିବା ୪ ମ୍ୟାଚ ବାସନ୍ଦ ଦଣ୍ଡ ବ୍ୟବସ୍ଥାକୁ କାଏମ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel