Categories: ଖେଳ

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଝଟ୍‌କା। ଷ୍ଟାର ବୋଲର୍‌ ଉମରାନ ମଲିକ ଆହତ ହୋଇଛନ୍ତି। ସେ ଶେଷଥର ଲାଗି ଜୁଲାଇ ୨୦୨୩ରେ ଭାରତ ପକ୍ଷରୁ ଖେଳିଥିଲେ। ତେବେ ଦକ୍ଷିଣ ଆଫ୍ରିକା ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ଥିବାରୁ ତାଙ୍କୁ ସୁଯୋଗ ଦିଆଯାଇଥାନ୍ତା। ହେଲେ ଏହା ପୂର୍ବରୁ ସେ ଆହତ ହୋଇଛନ୍ତି।

ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ବେଳେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାକୁ ଆସିଥିଲେ। ସେ ଜମ୍ମୁ-କଶ୍ମୀର ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳୁଥିବା ବେଳେ ବାମ ହାତରେ ଆଘାତ ଲାଗିଛି। ଏହା ଗୁରୁତର ଥିବାରୁ ତାଙ୍କର ଖେଳିବା ଅସମ୍ଭବ ବୋଲି କୁହାଯାଉଛି।

ଡିସେମ୍ବର ୧୦ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଏହାପରେ ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହାକୁ ନେଇ ଭାରତୀୟ ଟିମ୍‌ ଘୋଷଣା କରାଯାଇ ନାହିଁ। ତେବେ ଉମରାନଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଥିଲା। ହେଲେ ଆହତ ହୋଇଥିବା ଯୋଗୁ ତାଙ୍କର ଚୟନ ସମ୍ଭବ ନୁହେଁ।

Share