Categories: ଖେଳ

୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଉମରାନ

ଗୁଆହାଟୀ,୧୧।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଦଳ ଜିତିଛି। ଏହି ମ୍ୟାଚ୍‌ରେ ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୭୩ ରନ ସ୍କୋର କରିଥିଲା। ଏହା ପରେ ଟିମ ଇଣ୍ଡିଆର ବିଜୟ ପ୍ରାୟ ନିଶ୍ଚିତ ଥିଲା ଏବଂ ବୋଲରମାନେ ମ୍ୟାଚର ଦ୍ୱିତୀୟ ଇନିଂସରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟ ସ୍ଥିର କରିଥିଲେ।
ଭାରତ ପାଇଁ ପ୍ରଥମେ ମହମ୍ମଦ ସିରାଜ ପାୱାରପ୍ଲେରେ ଦୁଇଟି ଉଇକେଟ ନେଇଥିଲେ। ଏହା ପରେ ଉମରନ ମଲିକ ନିଜର ବୋଲିଂ ସ୍ପିଡ ୧୫୫ କିମି ପ୍ରତି ଘଣ୍ଟା ସହ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ବର୍ତ୍ତମାନ ଭାରତର ଦ୍ରୁତତମ ବୋଲର ହୋଇପାରିଛନ୍ତି। ସେ ପୂର୍ବତନ ଦ୍ରୁତ ବୋଲର ଜବଗଲ ଶ୍ରୀନାଥଙ୍କ ୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।
୧୯୯୯ ବିଶ୍ୱକପରେ ଜବଗଲ ଶ୍ରୀନାଥ ୧୫୪.୫ କିଲୋମିଟର ବେଗରେ ବୋଲିଂ କରିଥିଲେ। ସେତେବେଳେ ସେ ବିଶ୍ୱକପ୍‌ର ଦ୍ୱିତୀୟ ଦ୍ରୁତତମ ବୋଲର ଥିଲେ। ତାଙ୍କ ଆଗରେ ପାକିସ୍ତାନର ଶୋଏବ ଅଖତର ନାମ ଥିଲା। ବର୍ତ୍ତମାନ ଉମରାନ ମଲିକ ୧୫୫ରେ ବୋଲିଂ କରି ଶ୍ରୀନାଥଙ୍କୁ ପଛରେ ପକାଇ ଦେଇଛନ୍ତି।
କିଛି ଦିନ ପୂର୍ବରୁ ଟି-୨୦ କ୍ରିକେଟରେ ଭାରତ ପାଇଁ ଦ୍ରୁତତମ ବୋଲର ହୋଇଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୫୬ କିଲୋମିଟର ବେଗରେ ବୋଲିଂ କରିଥିଲେ। ଏଥି ସହିତ, ପୂର୍ବରୁ ଆଇପିଏଲରେ ସେ ୧୫୭ କିଲୋମିଟର ବେଗରେ ବୋଲିଂ କରିଥିଲେ। ଭାରତ ପାଇଁ ତାଙ୍କର କ୍ଷୁଦ୍ର କ୍ୟାରିୟରରେ ଉମରାନ ତାଙ୍କ ବୋଲିଂ ସ୍ପିଡ୍‌ ସହିତ ଉଇକେଟ ନେବା କ୍ଷମତା ରଖିଛନ୍ତି।

Share