ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ମିଳିତ ଜାତିସଂଘ

ନ୍ୟୁୟର୍କ,୧୨।୭: ଶ୍ରୀଲଙ୍କାରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରସ। ଶ୍ରୀଲଙ୍କାର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଶ୍ରୀଲଙ୍କାକୁ ସମର୍ଥନ କରିବାକୁ ମିଳିତ ଜାତିସଂଘ ପ୍ରସ୍ତୁତ ଅଛି। ଏକ ନୂତନ ସରକାର ଗଠନ ତଥା ଦେଶର ଅର୍ଥନୈତିକ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ଏକାଠି ହେବାକୁ ଗୁଟେରସ ଆହ୍ବାନ ଦେଇଛନ୍ତି। ତାଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।
ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟବେଳେ ଏହାର ପଡୋଶୀ ଦେଶ ଭାରତ ଏହାକୁ ସହଯୋଗର ହାତ ବଢାଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଶ୍ରୀଲଙ୍କା ଏବଂ ଏହାର ଲୋକମାନେ ଏହି ସମୟରେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ଆମେ ଅବଗତ। ଏହି କଠିନ ସମୟରେ ଆମେ ଶ୍ରୀଲଙ୍କାର ଲୋକଙ୍କ ସହ ଛିଡା ହୋଇଛୁ। ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସୁଦୃଢ ଼ କରିବା ପାଇଁ ଭାରତ ଚଳିତ ବର୍ଷ ୩.୮ ବିଲିୟନ ଡ଼ଲାରରୁ ଅଧିକ ସହାୟତା ଦେଇଛି।
ଶ୍ରୀଲଙ୍କାର ଋଣ ପ୍ରାୟ ୪ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ବୈଦେଶିକ ମୁଦ୍ରା ପାଣ୍ଠି ଶୂନ୍ୟ ହୋଇଯାଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏବେ ପେଟ୍ରୋଲ ମିଳୁ ନ ଥିବା ବେଳେ ବିଜୁଳି ଏବଂ ପାଣି ବି ମିଳୁନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଏହି ଦୂରାବସ୍ଥା ଲାଗି ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ।

Share