Categories: ଜାତୀୟ

ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା

ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍‌ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍‌, ଲେଖା ଓ ମନ୍ତବ୍ୟକୁ ଆଧାର କରି ଗିରଫ କରିବା ଉଚିତ୍‌ ନୁହେଁ ବୋଲି ବୁଧବାର ଜାତିସଂଘ ପକ୍ଷରୁ କୁହାଯାଇଛି। ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ମନ୍ତବ୍ୟ ରଖିବାର ସ୍ବାଧୀନତା ରହିଥିବା ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟ୍ଟେରସ୍‌ କହିଛନ୍ତି। ବିଶ୍ୱରେ ଘଟୁଥିବା ସମସ୍ତ ଘଟଣା ଲୋକଲୋଚନକୁ ଆସିବା ଜରୁରୀ। କେବଳ ନାଗରିକ ନୁହଁନ୍ତି ପ୍ରତ୍ୟେକ ସାମ୍ବାଦିକଙ୍କର ମଧ୍ୟ ଅଭିବ୍ୟକ୍ତି ସ୍ବାଧୀନତା ରହିଛି। ଟୁଇଟର ଜରିଆରେ ନିଜ ମନ୍ତବ୍ୟ ଉପସ୍ଥାପନ କରିବା ତଥା କୌଣସି ଘଟଣା ଉପରେ ନିଜ ପକ୍ଷ ରଖିବା ଲାଗି କୌଣସି ବ୍ୟକ୍ତିଙ୍କୁ ଜେଲ ପଠାଯିବା ନିହାତିପକ୍ଷେ ଏକ ନିନ୍ଦନୀୟ କଥା ବୋଲି ସେକ୍ରେଟାରୀ ଜେନେରାଲ ଡୁଜାରିକ୍‌ କହିଛନ୍ତି। ତେବେ ଗୁଜରାଟ ଦଙ୍ଗା ମାମଲାରେ ସାମାଜିକ କର୍ମୀ ତୀସ୍ତାଙ୍କୁ ଗିରଫ କରାଯିବା ନେଇ ମଧ୍ୟ ଜାତିସଂଘ ମାନବାଧିକାର ନିନ୍ଦା କରିଛି।

ଜୁବୈର ଏବଂ ତୀସ୍ତାଙ୍କ ମାମଲାକୁ ନେଇ ଜାତିସଂଘ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ବିଷୟରେ ଅବଗତ ଥିବା ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗ୍‌ଚି କହିଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଜାତି ସଂଘର ହସ୍ତକ୍ଷେପ ନିହାତିପକ୍ଷେ ଅନୁଚିତ୍‌ ବୋଲି ସେ କହିଛନ୍ତି। ଦେଶରେ ଆଇନ୍‌ ବିରୋଧୀ କାର୍ଯ୍ୟ ପାଇଁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଥିବା ବାଗ୍‌ଚି କହିଛନ୍ତି।

୪ ଦିନିଆ ରିମାଣ୍ଡରେ ଥିବା ଜୁବୈରଙ୍କ ଟୁଇଟର ଆକାଉଣ୍ଟରୁ ୧୦୦ଟି ପୋଷ୍ଟ ଗାଏବ ହୋଇଯାଇଛି। ଗିରଫ ପରେ ୮୮ଟି ପୋଷ୍ଟ ଡିଲିଟ୍‌ ହୋଇଥିବା କୁହାଯାଉଛି। ଏଥିସହ ବୈଦ୍ୟୁତିକ ଉପକରଣରୁ ଅନେକ ପ୍ରମାଣ ହଟାଇ ନେଇଥିବା ଦିଲ୍ଲୀ ପୋଲିସ କହିଛି। ଅନ୍ୟପକ୍ଷରେ ଜୁବୈରଙ୍କ ଟୁଇଟ୍‌ ବାବଦରେ ପୋଲିସ ଯେଉଁ ଟୁଇଟର ଆକାଉଣ୍ଟରୁ ସୂଚନା ପାଇଥିଲା ସେହି ଆକାଉଣ୍ଟ ମଧ୍ୟ ଗାଏବ ହୋଇଯାଇଥିବା ଜଣାପଡ଼ିଛି।

 

Share