ରୁଷିଆ-ୟୁକ୍ରେନ ପରେ ଜାତିସଂଘ ହମାସ-ଇସ୍ରାଏଲ ଯୁଦ୍ଧକୁ ରୋକିବାରେ ବିଫଳ: ଅନ୍ତର୍ଜାତୀୟସ୍ତରରେ ଊଠିଲା ପ୍ରଶ୍ନ…

ଜେନେଭା,୧୬।୧୦ : ଅକ୍ଟୋବର ୭ ରୁ ହମାସ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦରେ ଏପର୍ଯ୍ୟନ୍ତ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଉଭୟ ପାର୍ଶ୍ୱରେ ମାନବିକ ସଙ୍କଟ ଦେଖାଦେଇଛି। ଲୋକମାନେ ନିଜ ଘର ଛାଡି କ୍ୟାମ୍ପରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘର ଭୂମିକାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ଜାତିସଂଘରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ ଜାତିସଂଘ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ହମାସ ପ୍ରତି ଦେଖାଯାଇଥିବା ସମବେଦନା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢୁଥିବା ଦେଶକୁ ତାଗିଦ କରିବା ପାଇଁ ଜାତିସଂଘର ଅଧିକାରୀମାନଙ୍କର କୌଣସି ଅଧିକାର ନାହିଁ।

ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଜାତିସଂଘର ଭୂମିକା ପ୍ରତି ପ୍ରଶ୍ନ ଚିହ୍ନ ଉଠିଥିଲା। ଏବେ ହମାସ-ଇସ୍ରାଏଲ ଯୁଦ୍ଧ ପରେ ଜାତିସଂଘ ଉପରେ ମଧ୍ୟ ସମାନ ପ୍ରଶ୍ନ ଉଠିଛି। ଯୁଦ୍ଧ ଆରମ୍ଭ ହେବା ପରେ ଜାତିସଂଘ ଏବଂ ଏହାର ସଂଗଠନଗୁଡ଼ିକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଇଛନ୍ତି। ଜାତିସଂଘର ଦାୟିତ୍ୱବୋଧ ସ୍ଥାଣୁ ରହିଥିବା ନେଇ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହେଉଛି।

ବାସ୍ତବରେ ମାନବିକ ବ୍ୟାପାର ଏବଂ ଜରୁରୀକାଳୀନ ରିଲିଫ ସଂଯୋଜକ ମାର୍ଟିନ ଗ୍ରିଫିଥସ ଅଣ୍ଡର ସେକ୍ରେଟେରୀ ଜେନେରାଲ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ କହିଛନ୍ତି ଗାଜା ଉପରେ ମୃତ୍ୟୁର ଛାୟା ସୃଷ୍ଟି ହୋଇଛି। ଜଳ, ବିଦ୍ୟୁତ, ଖାଦ୍ୟ ଏବଂ ଔଷଧ ବିନା ହଜାର ହଜାର ଲୋକ ମରିବେ ବୋଲି ସ୍ପଷ୍ଟ ହୋଇଛି।

 

Share