ଯୁଦ୍ଧ ପାଇଁ ୟୁକ୍ରେନ ଦାୟୀ: ରୁଷିଆ

ମସ୍କୋ,୧ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଛି ଯୁଦ୍ଧ । ଇତିମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଅଧିବେଶନରେ ୟୁକ୍ରେନ ସଙ୍କଟକୁ ଗୁରୁତର ଭାବେ ଆଲୋଚନା କରାଯାଇଛି । ମିଳିତ ଜାତିସଂଘର ସାଧାରଣ ସଭାରେ କିଛି ସମୟ ପାଇଁ ନିରବତା ରକ୍ଷା କରାଯାଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାର ଜରୁରୀକାଳିନ ଅଧିବେଶନରେ ଉଭୟ ଦେଶ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି କୁହାଯାଇଥିଲା । ତେବେ ଏହି ପ୍ରସଙ୍ଗରେ ସଂଯମତା ଆବଶ୍ୟକ ବୋଲି କୁହାଯାଇଛି । କୁଟନୈତିକ ପ୍ରସଙ୍ଗର ଆଲୋଚନା ଜାରି ରଖି ସମସ୍ୟାର ସମାଧାନ ହେବା ଉଚିତ । ଜାତିସଂଘର ସେକ୍ରେଟାରୀ ଜେନରାଲ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଶାନ୍ତି ହେଉଛି ଏହି ସମସ୍ୟାର ସମାଧାନ ।
ମିଳିତ ଜାତିସଂଘର ସାଧାରଣ ସଭାର ଜରୁରୀ ବୈଠକରେ ୟୁକ୍ରେନ୍ କହିଛି ଯଦି ଆମେ ବଞ୍ଚିବୁ ନାହିଁ ତେବେ ମଳିତ ଜାତିସଂଘ ବଞ୍ଚିବ ନାହିଁ । ୟୁକ୍ରେନର ପ୍ରତିନିଧି କହିଛନ୍ତି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୬ ଶିଶୁଙ୍କ ସମେତ ୩୫୨ ଜଣଙ୍କର ମୃତ୍ୟୁ ହେଲାଣି । ଆଗକୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି । ବୋମା ମାଡ, ମିଶାଇଲ ଆକ୍ରମଣ ଗୁଳିଗୋଳା ବର୍ଷଣ ଏସବୁକୁ ରୁଷିଆକୁ ବନ୍ଦ କରିବାକୁ ପଡିବ । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ଏହା ପାଗଳାମି ବୋଲି ୟୁକ୍ରେନ୍ କହିଛି । ପୁଟିନଙ୍କୁ କଡା ସମାଲୋଚନା କରି ୟୁକ୍ରେନର ପ୍ରତିନିଧି କହିଛନ୍ତି, ରୁଷିଆ କେତେବେଳେ ମିଳିତ ଜାତିସଂଘର ସଦସ୍ୟ ହେଲା, ସୋଭିଏତ ସଂଘ ବିଲୋପ ପରେ ରୁଷିଆର ସଦସ୍ୟତା ପାଇଁ କିଏ କେବେ ଭୋଟ ଦେଲେ । ଏପଟେ ଏହାର ଜବାବରେ ରୁଷିଆ କହିଛି ଏ ସମସ୍ତ ଘଟଣା ପାଇଁ ୟୁକ୍ରେନ୍ ଦାୟୀ । ଅର୍ଥାତ୍ ରୁଷିଆ-ୟୁକ୍ରେନ ଯୁଦ୍ଧ ପାଇଁ କେବଳ ୟୁକ୍ରେନ୍ ଦାୟୀ ।

Share