ଭାଟିକାନ୍ ସିଟି, ୭ା୪: ୟୁକ୍ରେନ୍ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟ ପୋପ୍ ଫ୍ରାନ୍ସିସ୍ ବୁଧବାର କହିଛନ୍ତି। ଏଥିସହ ବୁଚା ଗଣହତ୍ୟାକୁ ନିନ୍ଦା କରିବା ସହ ସେହି ସହରରୁ ଯାଇଥିବା ୟୁକ୍ରେନ୍ର ଏକ ଜାତୀୟ ପତାକାକୁ ପୋପ୍ ଚୁମ୍ବନ ଦେଇ ପ୍ରାର୍ଥନା କରିଛନ୍ତି। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ରେ ଶାନ୍ତି ସ୍ଥାପନର ଖବର ଆସିବା ପରିବର୍ତ୍ତେ ବୁଚା ନରସଂହାର ଭଳି ଘଟଣା ବିବ୍ରତ କରିଛି ବୋଲି ପୋପ୍ ଭାଟିକାନ୍ ଅଡିଟୋରିୟମରେ ସମ୍ବୋଧନବେଳେ କହିଛନ୍ତି। ଅସ୍ତ୍ରକୁ ନୀରବ ରଖି ଯୁଦ୍ଧ ବନ୍ଦ କର ଏବଂ ଧ୍ୱଂସଲୀଳାକୁ ଶେଷ କର ବୋଲି ପୋପ୍ ଆହ୍ବାନ ଦେଇଛନ୍ତି।