ମହିଳାଙ୍କ ଉପରୁ କଟକଣା ହଟାଉ ତାଲିବାନ୍‌:ଜାତିସଂଘ

ଜେନେଭା, ୨୮ା୧୨: କଠୋରପନ୍ଥୀ ତାଲିବାନ୍‌ ଆଫଗାନ ମହିଳା ଓ ଛାତ୍ରୀଙ୍କ ଉପରେ ଲଗାଇଥିବା କଟକଣାକୁ ତୁରନ୍ତ ପ୍ରତ୍ୟାହାର କରୁ ବୋଲି ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର ଟର୍କ ମଙ୍ଗଳବାର କହିଛନ୍ତି। ମହିଳାଙ୍କ ଉପରେ ଲାଗୁ କଟକଣା ଯୋଗୁ ଭବିଷ୍ୟତରେ ଆଫଗାନ୍‌କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିବ। ରାଜନୈତିକ, ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ ଅନ୍ୟ ନାଗରିକଙ୍କ ଭଳି ମହିଳା ଓ ଛାତ୍ରୀମାନଙ୍କର ମଧ୍ୟ ସମାନ ଅଧିକାର ରହିଛି। ମହିଳାମାନଙ୍କୁ ଅଣସରକାରୀ ସଙ୍ଗଠନ (ଏନ୍‌ଜିଓ)ରେ କାମ କରିବା ଲାଗି ବାରଣ କରିବା ସହ କିଛିଦିନ ପୂର୍ବରୁ ତାଲିବାନ ସରକାର ଦେଶରେ ଝିଅମାନଙ୍କ ଲାଗି ଉଚ୍ଚଶିକ୍ଷା ନିଷେଧ ଘୋଷଣା କରିଥିଲା। ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ଭାରତ ସମେତ ବହୁ ରାଷ୍ଟ୍ର ନିନ୍ଦା କରିଛନ୍ତି।

Share