‘ପୃଥିବୀ ମନ୍ଥନ’କୁ ଜାତିସଂଘର ସମର୍ଥନ

ଭୁବନେଶ୍ୱର, ୩୧।୫(ବ୍ୟୁରୋ):ପୁଣି ବିଶ୍ୱସ୍ତରରେ ଚମକିଛନ୍ତି ଓଡ଼ିଆ କଳାକାର। ଆସନ୍ତା ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ପରିବେଶକୁ ନେଇ ପ୍ରସ୍ତୁତ ହୋଇଛି ସଚେତନତା ଧର୍ମୀ ମ୍ୟୁଜିକ୍‌ ଭିଡିଓ ‘ପ୍ରଥିବୀ ମନ୍ଥନ’। ଏହାର ପ୍ରଚାର ପ୍ରସାର ପାଇଁ ସମର୍ଥନ ଜଣାଇଛି ଜାତିସଂଘ। ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ ଏହି ହିନ୍ଦୀ ମ୍ୟୁଜିକ୍‌ ଭିଡିଓର କଳାକାରମାନେ ହେଉଛନ୍ତି ଓଡ଼ିଆ। ଅରୋମିରା ଏଟଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ହୋଇଥିବା ଏହି ଗୀତକୁ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଛନ୍ତି। ଭାରତ ସରକାରଙ୍କ ବନ ବିଭାଗର ପୂର୍ବତନ ଡାଇରେକ୍ଟର ଜେନେରାଲ୍‌ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍‌ ଭିଡିଓର ପରିକଳ୍ପନା କରିଥିବାବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି। ଓମ୍‌ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି। ମ୍ୟୁଜିକ୍‌ ଭିଡିଓଟି ଦେବ ମେହେରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ଅଭିନେତ୍ରୀ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି। ଏହି ମ୍ୟୁଜିକ୍‌ ଭିଡିଓଟିର ପୋଷ୍ଟର ୟୁଟୁବ୍‌ରେ ରବିବାର ରିଲିଜ୍‌ ହୋଇଛି। ପରିବେଶ ଦିବସ ଅବସରରେ ଜାତିସଂଘ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବ।
ଏ ସମ୍ପର୍କରେ ଦେବ ମେହେର କହିଛନ୍ତି, ‘୨୦୨୧ ବର୍ଷ ଲାଗି ଜାତିସଂଘର ସମର୍ଥନ ଥିବା ଏହା ଭାରତର ଏକମାତ୍ର ମ୍ୟୁଜିକ୍‌ ଭିଡିଓ, ଯାହାକୁ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି। ପ୍ରଥମ ଥର ଲାଗି ଶିବ ତାଣ୍ଡବ ସ୍ତ୍ରୋତମ୍‌ରେ ପରିବେଶ ବିଷୟକୁ ଯୋଡ଼ି ଏକ ମ୍ୟୁଜିକ୍‌ ଭିଡିଓର ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ୟୁଏନ୍‌ଇପି, ଆଇୟୁସିଏନ୍‌, ବମ୍ବେ ନାଚୁରାଲ୍‌ ହିଷ୍ଟ୍ରି ସୋସାଇଟି, ଦି ଏନର୍ଜି ଆଣ୍ଡ୍‌ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ୱାଇଲଡ୍‌ ଲାଇଫ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ ଓ କର୍ନାଟକ ସରକାରଙ୍କ ଜେଏଲ୍‌ଆର୍‌ ସେମାନଙ୍କ ଲୋଗୋକୁ ଏହି ମ୍ୟୁଜିକ୍‌ ଭିଡିଓରେ ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ଖଣି ନିଗମ ଲିମିଟେଡ୍‌ ମଧ୍ୟ ଏହି ପ୍ରକଳ୍ପକୁ ସହାୟତା ପ୍ରଦାନ କରିଛି।

Share