ବାହାନଗା, ୫ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ବାରିଙ୍ଗିଆ ଗ୍ରାମର ଜଣେ ଯୁବକ ଋଣଭାର ସହି ନ ପାରି ଆମତ୍ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସତ୍ୟାନନ୍ଦ ଦାସ(୪୦) ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ଧାନ ଚାଷ କରିଥିଲେ। ଗତ ଜୱାଦ ବାତ୍ୟାରେ ବିଲରେ ଧାନ ପଡି ନଷ୍ଟ ହୋଇଯାଇଥିଲା। ଧାନରେ କ୍ଷତି ହେବା ପରେ ଋଣ ପରିଶୋଧ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଥିଲା। ଅନ୍ୟପକ୍ଷେ ସମବାୟ ସମିତି ଧାନ କିଣିବାରେ ବିଳମ୍ବ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଗତ ମଙ୍ଗଳବାର ରାତିରେ ଘର ଭିତରେ ବେକରେ ଦଉଡି ବାନ୍ଧି ଆମତ୍ହତ୍ୟା କରିଛନ୍ତି। ବୁଧବାର ସକାଳେ ସେ ନ ଉଠିବାରୁ ପରିବାର ଲୋକେ କବାଟ ଭାଙ୍ଗି ମୃତଦେହ ଦେଖିଥିଲେ। ଗୋପାଳପୁର ଫାଣ୍ଡି ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ଖନ୍ତାପଡା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୧/୨୨) ରୁଜୁ ହୋଇଛି।