ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ

ଭୁବନେଶ୍ୱର,୭।୮(ବ୍ୟୁରୋ): ଶାଶୂ ଘର ଲୋକଙ୍କ ନିର୍ଯାତନା ସାଙ୍ଗକୁ ରୋଗର ଜ୍ୱାଳା ସହି ନ ପାରି ଜଣେ ନବବଧୂ ଆତ୍ମହତ୍ୟା କରିଛନ୍ତି। ଶନିବାର ସେ ଘରର ଆଜ୍‌ବେଷ୍ଟସ୍‌ ଲୁହା ପାଇପ୍‌ରେ ଓଢଣୀ ବାନ୍ଧି ଝୁଲିପଡିଛନ୍ତି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କୋଲନୀରେ ଏହି ଘଟଣା ଘଟିଛଇ। ମୃତା ନବବଧୂ ଜଣକ ହେଲେ କଟକ ନିଆଳିର ପ୍ରଜ୍ଞାପାରମିତା ସ୍ବାଇଁ (୨୪)। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଅପରପକ୍ଷରେ ଶାଶୂଘର ଲୋକେ ଭଉଣୀଙ୍କୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ପ୍ରିୟବ୍ରତ ସ୍ବାଇଁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଥାନା ପଟିଆ ଜଗନ୍ନାଥ ନଗରର ପ୍ରଶାନ୍ତ ପାତ୍ରଙ୍କୁ ନିଆଳିର ପ୍ରଜ୍ଞାପାରମିତା ସ୍ବାଇଁ ୨ ମାସ ତଳେ ବିବାହ କରିଥିଲେ। ଦେହ ଖରାପ ହେବାରୁ ଶାଶୂ ଘର ଲୋକେ ତାଙ୍କୁ ବାପଘରକୁ ଯିବାକୁ କହିବା ସହ ଦେହ ଭଲ ହେଲେ ଆସିବୁ କହି ଘରୁ ତଡି ଦେଇଥିଲେ। ଫଳରେ ବିବାହର ଅଳ୍ପ କେଇଦିନ ପରେ ସେ ଜିଜିପି କୋଲନୀସ୍ଥିତ ନିଜ ଭାଇ ପାଖରେ ରହି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କ୍ୟାନସର ହେବାର ସମ୍ଭାବନା ରହିଥିବା କହିଥିଲେ। ଫଳରେ ସେ ଗତ କିଛିଦିନ ହେବ ଚିନ୍ତାରେ ରହୁଥିଲେ। ଏଥିସହ ଶାଶୂଘର ଲୋକ ଓ ସ୍ବାମୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ତାଙ୍କ ଫୋନ ଉଠାଉ ନ ଥିଲେ। ଫଳରେ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ଶନିବାର ପ୍ରଜ୍ଞାପାରମିତାଙ୍କ ଭାଇ ଘରେ ନ ଥିବା ସମୟରେ ସେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘର କବାଟ ବନ୍ଦ ରହିଥିବା ଦେଖି ପଡୋଶୀମାନେ ବାରମ୍ବାର ଡାକିଥିଲେ ମଧ୍ୟ ସେ ନ ଖୋଲିବାରୁ ତାଙ୍କ ଭାଇକୁ ଫୋନ କରିଥିଲେ। ତାଙ୍କ ଭାଇଙ୍କଠାରୁ ଖବର ପାଇ ପୋଲିସ ପହଞ୍ଚତ୍ଥିଲା।

Share