Categories: ଜାତୀୟ

ମାନସିକ ପୂରଣ ପାଇଁ ପଡ଼ୋଶୀଙ୍କ ଛୁଆକୁ ହତ୍ୟା

ନୂଆଦିଲ୍ଲୀ,୨୨।୩ : ବହୁ ଉଦ୍ୟମ ପରେ ମାତୃତ୍ୱ ଲାଭ କରିବାରେ ବିଫଳ ହୋଇଥିବା ମହିଳା ପଡ଼ୋଶୀଙ୍କ ୩ ବର୍ଷୀୟ ପୁଅଙ୍କୁ ହତ୍ୟା କରିଛନ୍ତି। ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ଏଭଳି ଅମାନୁଶିକ କାଣ୍ଡ ଘଟାଇଛନ୍ତି ଦିଲ୍ଲୀର ଜଣେ ମହିଳା। ହତ୍ୟା ପରେ ନାବାଳକଙ୍କ ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଦିଲ୍ଲୀର ରୋହିଣି ସ୍ଥିତ ଏକ କୋଠାର ଛାତ ଉପରେ ଫିଙ୍ଗିଥିଲେ।

ଛୁଆ ହେଉ ନ ଥିବାରୁ ଶାଶୁ ଘର ଲୋକେ ଓ ସମ୍ପର୍କୀୟମାନେ ମହିଳାଙ୍କୁ କଟୁକଥା ଶୁଣାଉଥିଲେ। ଏଥି ଯୋଗୁ ଦୀର୍ଘ ଦିନ ହେଲା ଚାପରେ ଥିଲେ ଅଭିଯୁକ୍ତ ମହିଳା। ଏହାପରେ ଭଗବାନଙ୍କୁ ଖୁସି କରିବା ପାଇଁ ଏକ ଛୁଆର ବଳି ଦେବାକୁ ପଡ଼ିବ ବୋଲି କହିଥିଲେ ଜ୍ୟୋତିଷ। ଏହାପରେ ସେ ପେଡୋଶୀଙ୍କ ଛୁଆକୁ ହତ୍ୟା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି, ୨୦୧୩ରେ ବିବାହ କରିଥିଲେ ମଧ୍ୟ ଗର୍ଭ ଧାରଣ କରିପାରୁ ନ ଥିଲେ ଅଭିଯୁକ୍ତ ନୀଲମ ଗୁପ୍ତା। ଉତ୍ତର ପ୍ରଦେଶର ହାର୍ଦୋଇଠାରେ ଜ୍ୟୋତିଷଙ୍କୁ ଏହାର କାରଣ ପଚାରି ଥିଲେ।

ମୃତ ନାବାଳକର ନିଖୋଜ ଅଭିଯୋଗ ସହ ଗତ ଶନିବାର ସାମ୍ନାକୁ ଆସିଥିଲା ଏହି ମାମଲା। ବାଳକର ନିଖୋଜ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେଶନ। ଛାତ ଉପରେ ବାଳକର ମୃତଦେହ ମିଳିବା ପରେ ପରିବାର ସଦସ୍ୟ, ସମ୍ପର୍କିୟ ଓ ପଡୋଶୀଙ୍କୁ ପଚରାଉଚୁରା କରାଯାଇଥିଲା। ଏଥିରୁ ମୃତକ ନାବଳକଙ୍କୁ ଶେଷ ଥର ପାଇଁ ପଡୋଶୀଙ୍କ ସହ ଦେଖିବାକୁ ମିଳିଥିବା ଜାଣିବାକୁ ପାଇଥିଲା ପୋଲିସ। ପଚରାଉଚୁରା ବେଳେ ନୀଲମ ହତ୍ୟା କରିଥିବା ସ୍ବୀକାର କରି ନେଇଥିଲେ।

Share