Advertisement

ଶବ ଦାହ ପାଇଁ ମିଳୁନି କାଠ: DFO’ଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ

ସୁନ୍ଦରଗଡ଼,୨୩ା୩(ଜୟ ନାରାୟଣ ମେଣ୍ଡୁଳି): ମୃତଦେହ ସତ୍କାର ପାଇଁ କାଠ ନ ମିଳିବାରୁ ସନ୍ଧ୍ୟାରେ ସୁନ୍ଦରଗଡ ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ସହିତ ଶ୍ମଶାନ ବନ୍ଧୁ ଟିମ ଓ ସ୍ଥାନୀୟ ଲୋକେ ପ୍ରତିବାଦ କରି ଧାରଣାରେ ବସି ରହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିଛି। ଧାରଣା ସ୍ଥଳରେ ଜଣେ ସହକାରୀ ବନ ସଂରକ୍ଷକ ପହଞ୍ଚି ଆଲୋଚନା କରୁଥିଲେ ମଧ୍ୟ ଡିଏଫଓ ନିଜେ ଆସି ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଧାରଣାରୁ ନ ଉଠିବା ପାଇଁ ଆନ୍ଦୋଳନକାରୀ ଅଡି ବସିଛନ୍ତି।

ସୁନ୍ଦରଗଡ ସହରରେ ପୂର୍ବରୁ ୨ଟି କାଠ ଡିପୋ ରହିଥିବା ବେଳେ ବର୍ତ୍ତମାନ ଏହାକୁ ଉଠାଇ ନିଆଯାଇଛି। ଫଳରେ ଲୋକେ ଜାଳେଣୀ କାଠ ପାଇଁ ସମସ୍ୟାର ଶିକାର ହେଉଛନ୍ତି। ବିଶେଷ କରି ମୃତଦେହ ସତ୍କାର ବେଳେ ଆବଶ୍ୟକ ହେଉଥିବା କାଠ ପାଇଁ ଲୋକେ ହଇରାଣ ହେଉଛନ୍ତି। ଶନିବାର ସନ୍ଧ୍ୟାରେ ହେମଗିରି ଥାନା ଅନ୍ତର୍ଗତ ତୁମୁଲିଆଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ମୃତା ୨ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଏଠାରେ ମୃତଦେହ ସତ୍କାର ପାଇଁ ସ୍ଥାନୀୟ ଟିମ ଶ୍ମଶାନ ବନ୍ଧୁଙ୍କୁ ତାଙ୍କ ପରିବାର ଲୋକେ ଅନୁରୋଧ କରିଥିଲେ। ହେଲେ ଏହି ୨ ମହିଳାଙ୍କ ଶବଦାହ ପାଇଁ ଏଠାରେ କାଠ ମିଳି ନଥିଲା। ଡିଏଫଓ ବଡଗାଁ ଡିପୋରୁ କାଠ ଆଣିବାକୁ କହିଥିଲେ। ମାତ୍ର ସେଠାକୁ ଟିମ ଶ୍ମଶାନ ବନ୍ଧୁ ପହଞ୍ଚିବା ପରେ ମଧ୍ୟ ସେଠାରେ କାଠ ନଥିଲା। ସେଠାରୁ ଫେରି ସନ୍ଧ୍ୟାରେ ଟିମ ଶ୍ମଶାନ ବନ୍ଧୁଙ୍କ ସହିତ ସ୍ଥାନୀୟ ଲୋକେ ଡିଏଫଓଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ।

ଟିମ ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ ପଣ୍ଡା, କଂଗ୍ରେସ ନେତା ନିର୍ମାଣ ନାଏକ, ବିଜେଡି ନେତା ଡାକ୍ତର ହିମାନଂଶୁ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ସାମିଲ ହୋଇ ସୁନ୍ଦରଗଡ ସହରରେ ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ସେମାନେ କହିଛନ୍ତି, ସୁନ୍ଦରଗଡ ଜିଲାରେ ବିଭିନ୍ନ ଖଣିଖାଦାନ ଓ ଶିଳ୍ପ ପ୍ରତିଷ୍ଠାନ ଯୋଗୁ ଅନେକ ଜଙ୍ଗଲ ସମ୍ପଦ ନଷ୍ଟ ହେଉଥିବା ବେଳେ ଏଠାରେ ଶବଦାହ ପାଇଁ କାଠ ନ ମିଳିବା ଦୁର୍ଭାଗ୍ୟର ବିଷୟ। ଏଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏନେଇ ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel