ପଦ୍ମପୁର,୨୩।୨(ଡି.ଏନ୍.ଏ.): ଧାନ ଅମଳ କରିଥିଲେ । ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିଥିଲେ। ତାହା ବିକ୍ରି ନ ହେବାରୁ ଧାନ ଉଠାଣ ଦାବିରେ ବରଗଡ଼ ଜିଲା ପଦ୍ମପୁରରେ ଚାଲିଥିବା ଚାଷୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇ ଆସୁଥିଲେ। ତଥାପି ଧାନ ବିକ୍ରି ହୋଇ ପାରିଲାନି। ଆଉ ଶେଷରେ ହୃଦ୍ଘାତରେ ଚାଷୀଙ୍କ ଜୀବନ ଗଲା। ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଭଳି ସ୍ଥିତିରେ ମଙ୍ଗଳବାର ଭୋରରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ସମ୍ବଲପୁରୀ ଗ୍ରାମର ସମ୍ପୃକ୍ତ ଚାଷୀ ବାଲାମଣି ଭୋଇ(୫୯)ଙ୍କ ମୃତ୍ୟୁ ଘଟିଛି। ଧାନ ବିକ୍ରି ଚିନ୍ତାରେ ମୃତଚାଷୀ ସବୁବେଳେ ଚିନ୍ତାରେ ରହୁଥିଲେ ଏବଂ ଆନ୍ଦୋଳନର ମଧ୍ୟ ସାମିଲ ହେଉଥିଲେ। ଫଳରେ ଧାନ ବିକ୍ରି ଚିନ୍ତାରେ ଭାଇଙ୍କ ଜୀବନ ଗଲା ବୋଲି ତାଙ୍କ ବଡ଼ଭାଇ ନୀଳମଣି କହିଛନ୍ତି। ମୃତ ଚାଷୀ ଗତବର୍ଷ ଡିସେମ୍ବର ୧୦ ତାରିଖ ଧାନବିକ୍ରି ପାଇଁ ଟୋକନ ପାଇବା ପରେ ସେହି ମାସ ୨୨ ତାରିଖ ନିକଟସ୍ଥ ଲଖମରା ମଣ୍ଡିକୁ ବିକ୍ରି ପାଇଁ ୧୪୦ ପକେଟ ଧାନ ଆଣିଥିଲେ। କିନ୍ତୁ ଇତିମଧ୍ୟରେ ୨ମାସ ବିତିଯିବା ସତ୍ତ୍ବେ ତାଙ୍କ ଧାନ ମଣ୍ଡିକୁ ବିକ୍ରି ହୋଇ ପାରି ନ ଥିବା ମୃତଚାଷୀଙ୍କ ବଡଭାଇ ନୀଳମଣି ଅଭିଯୋଗ କରିଛନ୍ତି। ସେହିପରି ଚାଷୀନେତା ରମେଶ ମହାପାତ୍ର ମୃତଚାଷୀଙ୍କ ପରିବାରକୁ ସମବେଦନା ଜଣାଇଥିବାବେଳେ ମୃତଚାଷୀ ତାଙ୍କ ଧାନବିକ୍ରି ତିନ୍ତାରେ ରହୁଥିଲେ ଏବଂ ଆନ୍ଦୋଳନରେ ସାମିଲ ହୋଇ ଆସୁଥିଲେ ବୋଲି କହିଛନ୍ତି ।