ଚିକିତ୍ସିତ ହୋଇପାରୁନାହାନ୍ତି ଶ୍ରୀମତୀ

ବଇଣ୍ଡା,୨୦।୫(ଡି.ଏନ.ଏ.): ଅଙ୍ଗନଓ୍ବାଡି କର୍ମୀ ଭାବେ କାର୍ଯ୍ୟକରି ଅବସର ନେବାର ବର୍ଷେ ହୋଇଗଲାଣି। ପକ୍ଷାଘାତ ଯୋଗୁ ଏବେ ସେ ଶଯ୍ୟାଶାୟୀ। ହେଲେ ସରକାର ତାଙ୍କର ବକେୟା ୪ ମାସର ଦରମା ଦେଉନାହାନ୍ତି। ଅବସରକାଳୀନ ପ୍ରାପ୍ୟ ମଧ୍ୟ ପ୍ରଦାନ କରୁନାହାନ୍ତି। ଫଳରେ ଅର୍ଥାଭାବର ଶିକାର ହୋଇ ଚିକିତ୍ସିତ ହୋଇପାରୁନାହାନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଳାପାଟନାଳୀ ଗ୍ରାମର ଶ୍ରୀମତୀ ସାହୁ। ଏ ନେଇ ତାଙ୍କ ସ୍ବାମୀ ମହେଶ୍ୱର ସାହୁ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏଥିସହିତ ଅଭିଯୋଗପତ୍ରର ଏକ ନକଲ ମୁଖ୍ୟମନ୍ତ୍ରୀ, ରାଜ୍ୟ ଶିଶୁ ବିକାଶ ବିଭାଗ ମନ୍ତ୍ରୀ, ୫-ଟି ସଚିବ, ଆଠମଲ୍ଲିକ ଉପଜିଲାପାଳ, ଆଠମଲ୍ଲିକ ସିଡିପିଓଙ୍କୁ ପ୍ରଦାନ କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, ଶ୍ରୀମତୀ ଅଙ୍ଗନଓ୍ବାଡି କର୍ମୀ ଭାବେ କଳାପାଟନାଳୀ ଅଙ୍ଗନଓ୍ବାଡ଼ିରେ କାର୍ଯ୍ୟରତ ଥିଲେ। ୬୦ ବର୍ଷ ହୋଇଯାଇଥିବା ଯୋଗୁ ସେ ୨୦୨୨ ଜାନୁୟାରୀ ୨୪ରେ ଅବସର ନେଇଥିଲେ। କିନ୍ତୁ ୨୦୨୧ ସେପ୍ଟେମ୍ବରଠାରୁ ଡିସେମ୍ବର ଯାଏ ୪ ମାସର ଦରମା ତାଙ୍କୁ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇ ନାହିଁ। ଏପରି କି ଅବସର ନେଇସାରିଥିଲେ ମଧ୍ୟ ବକେୟା ଦରମା ଦିଆଯାଉ ନାହିଁ କି ଅବସରକାଳୀନ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ ନାହିଁ। ମେ’ ୨୦୨୨ରେ ପକ୍ଷାଘାତ ରୋଗରେ ସେ ଆକ୍ରାନ୍ତ ହୋଇଥିବାରୁ ପରିବାର ଆର୍ଥିକ ସ୍ଥିତି ଭଲନାହିଁ। ଅର୍ଥ ଅଭାବରୁ ସେ ଚିକିତ୍ସିତ ହୋଇପାରୁ ନାହାନ୍ତି। ତେଣୁ ତୁରନ୍ତ ବକେୟା ଦରମା ସହ ଅବସରକାଳୀନ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମହେଶ୍ୱର ବହୁବାର ଜିଲା ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏପରିକି ତାଙ୍କୁ ଶିଶୁ ବିଭାଗର କେତେଜଣ କର୍ମଚାରୀ ହାତଗୁଞ୍ଜା ମାଗୁଥିବା ସେ ଅଭିଯୋଗ କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ କରା ନ ଗଲେ ଆଗାମୀ ଦିନରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଆଠମଲ୍ଲିକ ସିଡିପିଓ ତରଙ୍ଗିନୀ ମିର୍ଦ୍ଧା କହିଛନ୍ତି, ଶ୍ରୀମତୀଙ୍କୁ ବକେୟା ଦରମା ପ୍ରଦାନ ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅର୍ଥ ମଞ୍ଜୁର ହୋଇଆସିଲେ ସମସ୍ତ ସୁବିଧା ଯୋଗାଇ ଦିଆଯିବ।