ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ୍‌

କାଳିଆପାଣି,୬ା୫(ଡି.ଏନ.ଏ.): ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଛି। ତେଣୁ ଏହି ସମୟରେ ବିଦ୍ୟୁତ୍‌ କାଟ ବନ୍ଦ କରିବାକୁ ସରକାର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହା ସତ୍ତ୍ୱେ ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଫଳରେ ଲୋକେ ଏଥିଯୋଗୁ ଅତିଷ୍ଠ ହୋଇ ପଡୁଛନ୍ତି। ଯାହାର ଉଦାହରଣ କାଳିଆପାଣି ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଡୁବୁରୀ ସେକ୍ସନ ଗ୍ରୀଡ୍‌ରୁ ୩୫ କିମି ଦୂର କଲରଙ୍ଗୀ ଗ୍ରାମ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ କରାଯାଇଛି। ଏଥିରେ ଆନୁମାନିକ ୫୦ ହଜାର ଉପଭୋକ୍ତା ରହିଛନ୍ତି। ତେବେ ବୁଧବାର ସନ୍ଧ୍ୟାରେ ରାଁସୋଳ ପଞ୍ଚାୟତ ରାଁସୋଳ ଗ୍ରାମର ମହାନ୍ତ ସାହି ଟ୍ରାନ୍ସ ଫରମରରୁ ଫିଉଜ କଟିଯାଇଥିଲା। ଫଳରେ ମହାନ୍ତସାହି ସମ୍ପୂର୍ଣ୍ଣ ଅନ୍ଧାର ହୋଇ ଯାଇଥିଲା। ତେଣୁ ଅନେକ ଉପଭୋକ୍ତା ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କୁ ଫୋନ୍‌ କରି ସମସ୍ୟା ଜଣାଇଥିଲେ। ଏହି ସମୟରେ ଅଧିକାରୀ କହିଥିଲେ, ଆମେ ବାଲେଶ୍ବରକୁ ଫୋନ କରିଛୁ। ଆମକୁ ଅନୁମତି ମିଳିଲେ ଶଟ୍‌ଡାଉନ ଦେବୁ। ତା’ ପରେ ମରାମତି କରିବୁ। ତେବେ ଏହାପରଠାରୁ ଲୋକେ ଲାଇନମ୍ୟାନଙ୍କୁ ଫୋନ୍‌ କରି ଚାଲିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଫଳରେ ସାରା ରାତି ଲୋକେ ଅନ୍ଧାରରେ ରହିଥିଲେ। ଗୁରୁବାର ସକାଳେ ପାନୀୟ ଜଳ ପାଇଁ ଗାଁ ଲୋକେ ନିକଟସ୍ଥ କୁଅ ପୋଖରୀକୁ ଯାଉଥିବା ଦେଖିବାକୁ ମିଳିଥିଲା। ହେଲ ବିଦ୍ୟୁତ୍‌ ବିଭାଗର କୌଣସି ଅଧିକାରୀ ଆସି ନ ଥିଲେ। ଅପରାହ୍ନ ୧୨ଟା ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏହାର ୧୦ ମିନିଟ ପରେ ପୁଣି ବାରମ୍ବାର ବିଦ୍ୟୁତ୍‌ କାଟ୍‌ ହୋଇଥିଲା। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ଏସ୍‌ଡିଓ ବିଭୁପ୍ରସାଦ ମହାନ୍ତିଙ୍କୁ ଫୋନ୍‌ ଯୋଗେ ଯାଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ତେଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହୋଇଛି।

Share