ବାଲିଚନ୍ଦ୍ରପୁର,୬ା୬(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ୨ ସପ୍ତାହ ହେବ ଘନ ଘନ ବିଦ୍ୟୁତ୍ କାଟ ଚାଲିଛି । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଏପରି ବିଦ୍ୟୁତ୍ କାଟ୍ ସମସ୍ୟା ସୃଷ୍ଟି କରିଛି । ଦିନବେଳା ୨ରୁ ୩ ଥର ବହୁ ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସମାନ୍ୟ ବର୍ଷା ପବନ ହେଲେ ସନ୍ଧ୍ୟାରେ ବିଦ୍ୟୁତ୍ ସରବରାହ ବନ୍ଦ କରିଦିଆଯାଉଛି। ଥରେ ବିଦ୍ୟୁତ୍ କଟିଲେ କେତେବେଳେ ଲାଇନ୍ ଆସିବା ତାହା ଅନିଶ୍ଚିତତା ମଧ୍ୟରେ ରହୁଛି।
ବାଲିଚନ୍ଦ୍ରପୁର ସେକ୍ସନକୁ ପୂର୍ବରୁ କେନ୍ଦ୍ରାପଡ଼ା ବାଲିଆ ଗ୍ରୀଡ଼ରୁ ମାହାଙ୍ଗା ଦେଇ ବିଦ୍ୟୁତ୍ ଯୋଗାଣ ହେଉଥିଲା। ଏବେ ଏହି ସେକ୍ସନକୁ ଦୁଇ ସପ୍ତାହ ହେବ ଚଣ୍ଡିଖୋଲ ଗ୍ରୀଡ଼ରୁ ବିଦ୍ୟୁତ୍ ଯୋଗାଣ ହେଉଛି। ସେଥିପାଇଁ ବାରମ୍ବାର ବିଦ୍ୟୁତ୍କାଟ ଭଳି ସମସ୍ୟା ଉପୁଜିଛି। ଅନ୍ୟପକ୍ଷେ ମାହାଙ୍ଗା ଲାଇନ ମରାମତ ନ ହୋଇ ପଡ଼ିରହିଥିବାରୁ ସେଠାରୁ ବିଦ୍ୟୁତ୍ ସଂଯୋଗ ହୋଇପାରୁ ନାହିଁ। ସୋମବାର ଅପରାହ୍ନ ୩.୩୦ରୁ ରାତି ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ବାଲିଚନ୍ଦ୍ରପୁର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଉପଭୋକ୍ତାମାନେ ଅଫିସକୁ ପଚାରିବାକୁ ଯାଇଥିଲେ । ହେଲେ ଭିତରୁ ତାଲା ପଡ଼ିଥିବା ଦେଖି ପଦାରେ ହୋହାଲ୍ଲା କରିଥିଲେ । ଏ ସଂକ୍ରାନ୍ତରେ ବଡ଼ଚଣାର ବିଭାଗୀୟ ଏସ୍ଡିଓଙ୍କୁ ପଚାରିବାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି ା କାମ ଚାଲିଛି । ଏହି ସମସ୍ୟାର ସମାଧାନ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବାଲିଆ ଗ୍ରୀଡ଼ରୁ ପୂର୍ବପରି ବିଦ୍ୟୁତ୍ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।