ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଭାଜପାର ଧାରଣା

ନୀଳଗିରି,୧୫ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗୁରୁବାର ନୀଳଗିରି ଟି.ପି.ଏନ.ଓ.ଡି.ଏଲ୍‌ ନୀଳଗିରି ଷ୍ଟ୍ରକଚର ସମ୍ମୁଖରେ ଭାଜପା ପକ୍ଷରୁ ଧାରଣା ଦିଆଯାଇଛି।
ଖରାଦିନରେ ବିଜୁଳି କାଟ୍‌ ଲୋକମାନଙ୍କୁ ବହୁ ବାଧୁଛି। ହେଲେ ଏହାର କିଛି ସମାଧାନ ନାହିଁ। ଯେତେ ଯାହା ହେଲେ ମଧ୍ୟ ପ୍ରତ୍ୟେକ ଦିନ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ବାରମ୍ବାର ବିଜୁଳି କାଟ୍‌ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଶତାଧିକ ଉପଭୋକ୍ତା ଅଧିକ ବିଲ୍‌କୁ ନେଇ ଟାଟା ପାଓ୍ବାର ଅଫିସକୁ ଯାଉଛନ୍ତି। ମନଇଛା କେଉଁଠି ବିଲ୍‌ ବଢ଼ାଯାଉଛି ତ କେଉଁଠି କମାଯାଉଛି। ମାସ ସାରା ବିଜୁଳି କାଟ୍‌ର ଯନ୍ତ୍ରଣା ଭିତରେ ରହି ମାସ ପୂରିବା ଆଗରୁ ବିଲ୍‌ ଦେବାକୁ ପଡୁଛି । ରାଜ୍ୟ ସରକାର ଘରୋଇ କମ୍ପାନୀ ହାତରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଟେକି ଦେଇ ଚୁପ୍‌ ବସିଛନ୍ତି। ତେବେ ଅଘୋଷିତ ବିଜୁଳି କାଟ୍‌କୁ ନେଇ ଭାଜପା ସବୁ ଟାଟା ପାଓ୍ବାର ଅଫିସ ଆଗରେ ୨ ଦିନିଆ ପ୍ରତିବାଦ ସଭା କରୁଛି। ଏହି କ୍ରମରେ ଆଜି ବାଲେଶ୍ୱର ଜିଲା ନୀଳଗିରି ଟାଟା ପାଓ୍ବାର କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ତାଙ୍କ ବକ୍ତବ୍ୟରେ ସାଧାରଣ ଲୋକ ହଇରାଣ ହେଲେ ସରକାରଙ୍କର କିଛି ଯାଏ ଆସେ ନାହିଁ ବୋଲି କହିଥିଲେ।

Share