ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌କାଟ, ଇନ୍‌ଭର୍ଟର ଦୋକାନରେ ଭିଡ଼

ନବରଙ୍ଗପୁର,୯।୫ (ବି.ପ୍ର.): ନବରଙ୍ଗପୁର ସହରରେ ଶୁକ୍ରବାର ଅପରାହ୍ନ ୩ଟାରୁ ବିଦ୍ୟୁତ୍‌କାଟ ହୋଇଥିଲା। ରାତି ତମାମ କରେଣ୍ଟ ନ ଥିଲା। ବିଳମ୍ବିତ ରାତି ୨ଟା ବେଳକୁ ମାତ୍ର ୧୦ ମିନିଟ୍‌ ପାଇଁ ବିଦ୍ୟୁତ୍‌ ଯୋଗାଇବା ପଛରେ ବିଭାଗର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡୁନାହିଁ। ଝଡ଼ ପବନ ପଛରେ ଥାଉ ସାମାନ୍ୟ ମେଘୁଆ ପାଗ ହେଲେ ମଧ୍ୟ କରେଣ୍ଟ କଟାଯାଉଛି। ୧୩ଘଣ୍ଟା ପରେ ବିଦ୍ୟୁତ୍‌ ଯୋଗାଇବା ଅତି ବିଡ଼ମ୍ବନାର ବିଷୟ। ଭୀଷଣ ଖରା, ଗରମ ଓ ଗୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌କାଟ ଲୋକଙ୍କୁ ଅତିଷ୍ଠ କରୁଛି। ଏଭଳି ପରିସ୍ଥିତିରେ ଅନେକ ଲୋକ ଧାରକରଜ କରି ଇନ୍‌ଭର୍ଟର କିଣିବା ପାଇଁ ଦୋକାନରେ ଭିଡ଼ ଜମାଉଛନ୍ତି। ଏଠାରେ କୌଣସି ଡିଲର ନ ଥିବାରୁ ଦୋକାନୀମାନେ ଇନଭର୍ଟର ଚଢ଼ା ଦରରେ ବିକ୍ରି କରୁଛନ୍ତି। ସେହିଭଳି ବାରମ୍ବାର ବିଦ୍ୟୁତ୍‌ ଅପ୍‌ଡାଉନ୍‌ (୧୦ମିନିଟ୍‌ ମଧ୍ୟରେ ୧୦ରୁ୧୫ଥର) ଯୋଗୁ ଅନେକ ଘରର ବିଦ୍ୟୁତ୍‌ ଉପକରଣ ଯଥା ଫ୍ରିଜ୍‌, ଏସି, କୁଲର, ଏଲସିଡି ଟିଭି ପୋଡିଯାଉଛି। ବିଦ୍ୟୁତ୍‌କାଟ ସମସ୍ୟା ସମ୍ପର୍କରେ କୌଣସି ସୂଚନା ଗ୍ରାହକଙ୍କୁ ପ୍ରଦାନ କରାଯାଉନାହିଁ। ଏଥିସହିତ ଜନସାଧାରଣ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉନାହିଁ। ବିଦ୍ୟୁତ ବିଭାଗ ଖାଉଟିଙ୍କୁ ପ୍ରତ୍ୟେକ ସମୟରେ ଅଣଦେଖା କରି ନିଜ ବ୍ୟବସ୍ଥା ମଧ୍ୟରେ ହିଁ ରହୁଥିବା ନବରଙ୍ଗପୁର ଜନସାଧାରଣ ଅଭିଯୋଗ କରିଛନ୍ତି।