ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ଼: ଆସନ୍ତାକାଲିଠୁ ଲାଗୁ ହେବ ନୂଆ କଟକଣା

ପୁରୀ,୩୧ା୧୨: ନୂଆବର୍ଷ ପୂର୍ବରୁ ପୁରୀରେ ରବିବାର ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ସେମାନଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦର୍ଶନାର୍ଥୀମାନେ ବଡଦାଣ୍ଡର ମରଚିକୋଟ୍‌‌ଠାରେ ନବ ନିର୍ମିତ  ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌‌ ଦେଇ ସିହଦ୍ୱାର ବାଟେ ବଡଦେଉଳକୁ ଯାଇ କଡା ପୋଲିସ ସୁରକ୍ଷା ମଧ୍ୟରେ ଠାକୁରମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ସେଡ୍‌‌ ଭିତରେ ଟଏଲେଟ୍‌‌ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ରାତି ୧୨ଟା ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତିସାରା ଦର୍ଶନ ବ୍ୟବସ୍ଥା କରାଯାଇଛି । ଫଳରେ ଠାକୁରଙ୍କର ପହୁଡ ନୀତି ଅନୁଷ୍ଠିତ ହେବ ନାହିଁ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଆସନ୍ତାକାଲିଠାରୁ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁରକ୍ଷାଲାଗି ୯୦ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଛି । ଆଜି ରାତି ୧୨ଟାରୁ ଟ୍ରାଫିକ୍‌‌ କଟକଣା ଲାଗୁ କରାଯିବ। ମରଚିକୋଟ୍‌‌ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଭେଇକିଲ ଜୋନ୍‌‌ କରାଯାଇଥିବା ବେଳେ ଆମ୍ବଲାନ୍ସ ପାଇଁ ଗ୍ରୀନ୍‌‌ କରିଡର୍‌‌ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରିବ ନାହିଁ ବୋଲି ଘୋଷଣା କରାଯାଇଛି। ସେହିପରି ଦିଗବାରେଣୀରୁ ଲାଇଟ୍‌ହାଉସ ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେଇକିଲ ଜୋନ୍‌ ଭାବେ ଘୋଷଣା କରାଯାଇଛି।

Share