ଅସହ୍ୟ ହେଉଛି ପରିବା ଦର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): କରୋନା ମାଡ଼ରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଅନ୍ୟ ପକ୍ଷରେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଖୁଚୁରା ବଜାରରେ ଆଳୁ କିଲୋ ୩୫ରୁ ୩୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ୨୪ରୁ ୨୫ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହେ ମଧ୍ୟରେ ଆଳୁ ଦର ୧୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ପିଆଜ ୫ରୁ ୭ ଟଙ୍କା ବଢ଼ିଛି। କାମଧନ୍ଦା ହରାଇ ଆଳୁ ଓ ପିଆଜକୁ ଭରସା କରି ବଞ୍ଚୁଥିବା ଗରିବ ଲୋକମାନେ ଦର ବୃଦ୍ଧିକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ପନିପରିବା କିଣିବାକୁ ପଇସା ନ ଥିବା ଲୋକମାନେ ଆଳୁକୁ ଭରସା କରି ଚଳି ଯାଉଥିଲେ। ତେବେ ଦର ବଢିବାରୁ ବୋଝ ଉପରେ ନଳିତ ବିଡା ହୋଇଛି।
କେବଳ ଆଳୁ ପିଆଜ ନୁହେଁ, ପନିପରିବା ଦର ମଧ୍ୟ ଅଚାନକ ବଢି ଯିବାରୁ ମଧ୍ୟମ ଓ ସ୍ବଳ୍ପ ଆୟ ବର୍ଗର ଖାଉଟିଙ୍କ ସମସ୍ୟା ବଢି ଯାଇଛି। ଭୁବନେଶ୍ୱର ସ୍ଥିତ ୧ ନମ୍ବର ଦୈନିକ ହାଟରେ ଶୁକ୍ରବାର ଭେଣ୍ଡି କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୮୦, ଝୁଡ଼ଙ୍ଗ ୭୦, ଜହ୍ନି ୬୦, ବାଇଗଣ ୬୫ରୁ ୭୦, ଟମାଟୋ ୫୦, କଞ୍ଚାଲଙ୍କା କିଲୋ ୧୫୦ ଟଙ୍କା, ଧନିଆ ପତ୍ର ବିଡା ୨୦ରୁ ୨୫ ଟଙ୍କା, କଲରା କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ଲଘୁଚାପ ବର୍ଷା ଓ ବନ୍ୟାକୁ ଆଳ କରି ଖୁଚୁରା ବ୍ୟବସାୟୀ ହଠାତ୍‌ ଦର ବୃଦ୍ଧି କରିଛନ୍ତି। ୧ ନମ୍ବର ହାଟରେ ପରିବା ବ୍ୟବସାୟ କରୁଥିବା ଜୟନ୍ତ ଖୁଣ୍ଟିଆ କହିଛନ୍ତି ଯେ, ବର୍ଷା ଯାଗୁ ଆଠଗଡ଼, ପିପିଲି, ନଖରା ଓ ଭୁବନେଶ୍ୱର ଆଖ ପାଖ ଅଞ୍ଚଳରୁ ଆସୁଥିବା ପନିପରିବା ଏକ ପ୍ରକାର ବନ୍ଦ ହୋଇଯାଇଛି। କାଭାଁ ଆସୁଥିବାରୁ ଚାଷୀମାନେ ଚଢ଼ା ଦର ଡାକୁଛନ୍ତି। ସେଥିପାଇଁ ଦର ବୃଦ୍ଧି ହୋଇଛି। ବଜାରକୁ ପରିବା ଅଧିକ ନ ଆସିଲେ ଦର ବଢି ଚାଲିବ। ବନ୍ୟା ପାଇଁ ଆହୁରି ଦର ବଢ଼ିବ ବୋଲି ସେ କହିଛନ୍ତି।
ଦିନମଜୁରିଆ ମଧୁସୂଦନ ନାୟକ କହିଛନ୍ତି ଯେ, କରୋନା ଯୋଗୁ କାମ ଧନ୍ଦା ମିଳୁ ନାହିଁ। ଦିନେ କାମକୁ ଗଲେ ଦୁଇଦିନ ଘରେ ବସିବାକୁ ପଡୁଛି। ୫ ଜଣ ପରିବାରକୁ ନେଇ ସଂସାର। ଆଳୁକୁ ଭରସା କରି ଚଳି ଯାଉଥିଲୁ। ଗତ କେଇଦିନ ହେବ ଦର ବଢିଯିବାରୁ କିଲୋ ବଦଳରେ ଅଧା କିଲୋ କିଣି କାମ ଚଳାଉଛୁ। ସରକାର ଏହି ସମୟରେ କମ୍‌ ଦାମ୍‌ରେ ଆଳୁ ଯୋଗାଇ ଦେଲେ ଭଲହୁଅନ୍ତୁ ।
ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ୨୦୧୪ରେ ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ତାହା ଫଳପ୍ରଦ ହେଲା ନାହିଁ। ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଜୁଲାଇରୁ ନଭେମ୍ବର ଯାଏ ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ହେଉଛି। ଦର କମିବାକୁ ଅପେକ୍ଷା କରିବା ଛଡ଼ା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ଏନେଇ ଯୋଗାଣ ବିଭାଗର ଡେପୁଟି ଡାଇରେକ୍ଟର (ମାର୍କେଟ ଇଣ୍ଟେଲିଜେନ୍ସ) ଦାୟିତ୍ୱରେ ଥିବା ଅଜିତ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।

Share