
ବେଙ୍ଗାଲୁରୁ, ୭।୪: ବେଙ୍ଗାଲୁରୁର ଗଣିଗରାହଲ୍ଲୀ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସୋମବାର ସଫ୍ଟଓ୍ବେର ଇଞ୍ଜିନିୟର ପ୍ରଶାନ୍ତ ନାୟାର(୪୦) ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପ୍ରଶାନ୍ତଙ୍କ ବିବାହ ୧୨ ବର୍ଷ ତଳେ ବେଙ୍ଗାଲୁରୁରେ କାର୍ଯ୍ୟରତ ସଫ୍ଟଓ୍ବେର ଇଞ୍ଜିନିୟର ପୂଜା ନାୟାରଙ୍କ ସହ ହୋଇଥିଲା। ପ୍ରଶାନ୍ତ ଓ ପୂଜାଙ୍କର ଜଣେ ୮ ବର୍ଷୀୟ ଝିଅ ମଧ୍ୟ ରହିଛନ୍ତି। ପୂର୍ବରୁ ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟରେ ପ୍ରଶାନ୍ତ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ଏକାଠି ରହୁଥିଲେ। ତେବେ ଅଧିକାଂଶ ସମୟ ପ୍ରଶାନ୍ତ ଓ ପୂଜାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ତେଣୁ ଉଭୟେ ଗତ ବର୍ଷେ ହେବ ଅଲଗା ରହିବା ସହ ପରସ୍ପରରକୁ ଛାଡ଼ପତ୍ର ଦେବା ପାଇଁ ଚିନ୍ତା କରୁଥିଲେ।
ରବିବାର ରାତିରେ ପ୍ରଶାନ୍ତଙ୍କ ବାପା ଏମ୍. ଏନ୍. କୁଟ୍ଟୀ ତାଙ୍କୁ ବାରମ୍ବାର କଲ୍ କରିଥିଲେ ମଧ୍ୟ ସେ କଲ୍ ଉଠାଇ ନ ଥିଲେ। ତେଣୁ ସନ୍ଦେହ ହେବାରୁ ପ୍ରଶାନ୍ତଙ୍କ ବାପା ଗଣିଗରାହଲ୍ଲୀସ୍ଥିତ ଆପାର୍ଟମେଣ୍ଟକୁ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଜାଣିବାକୁ ପାଇଥିଲେ। ପ୍ରଶାନ୍ତଙ୍କ ଅସ୍ବଭାବିକ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାରେ ଏକ ଏତଲା ମଧ୍ୟ ଦେଇଛନ୍ତି। ପୋଲିସ ଉକ୍ତ ଏତଲାକୁ ଭିତ୍ତିକରି ତଦନ୍ତ ଜାରି ରଖିଛି। କେରଳର ମୂଳ ନିବାସୀ ପ୍ରଶାନ୍ତ ନିଜ ବୈବାହିକ ଜୀବନରେ ଚାଲିଥିବା ସମସ୍ୟା ଯୋଗୁ ଗତ କିଛିମାସ ହେବ ଭାବପ୍ରବଣ ଏବଂ ବିବ୍ରତ ରହୁଥିଲେ ବୋଲି ପୋଲିସ କହିଛି। ତେବେ ତାଙ୍କ ଆପାର୍ଟମେଣ୍ଟରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।