ଡ. ମନୋରଂଜନ ପ୍ରଧାନ
ମହାଭାରତୀୟ ଯୁଗର କଥା। କୌରବମାନଙ୍କ ବିରୋଧ ହେତୁ ବନବାସୀ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଫେରିଛନ୍ତି। ବିଶିଷ୍ଟ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧବିଦ୍ୟା ଶିଖିବାର ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥାଏ। ଅବସାଦ ମନ ଓ ଚିନ୍ତିତ ଭବିଷ୍ୟତ ମଧ୍ୟରେ ସର୍ବୋତ୍କୃଷ୍ଟ ଜ୍ଞାନପ୍ରାପ୍ତିର କ୍ଷୁଧା ଓ କିଛି ଚମକତା କରିବାର ଶ୍ରଦ୍ଧାଶୀଳ ଆତ୍ମବିଶ୍ୱାସ କିନ୍ତୁ ତାଙ୍କୁ ଅନ୍ତର୍ମୁଖୀ ପ୍ରେରଣା ପ୍ରଦାନ କରୁଥାଏ। ଅନ୍ୟ ଦ୍ୱାରା ଅପମାନ, ପ୍ରତ୍ୟାଖ୍ୟାନ ଓ ବିଶେଷ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେବାକୁ ସେ ଦୁର୍ଭାଗ୍ୟ ବା ଦୁର୍ଯୋଗ ନ ଭାବି ନିଜ ପୁରୁଷାର୍ଥ ତଥା ଅଦମ୍ୟ ଉଦ୍ଯୋଗ ବଳରେ ପ୍ରତୀକାତ୍ମକ ଭାବେ ଗୁରୁମୂର୍ତ୍ତି ସ୍ଥାପନ କରି ଯେଉଁ କଠିନ ଯୁଦ୍ଧବିଦ୍ୟା ଶିକ୍ଷା କଲେ, ତାହା ଆଜି ସମଗ୍ର ମାନବସମାଜ ପାଇଁ ପ୍ରେରଣାଦାୟୀ। ବିଶେଷକରି ଗରିବ, ଅସହାୟ, ପଛୁଆ ତଥା ନିଷ୍ପେଷିତ ବ୍ୟକ୍ତିବିଶେଷଙ୍କ ପାଇଁ ସଞ୍ଜୀବନୀ। କିନ୍ତୁ ଏକଲବ୍ୟଙ୍କ ଶ୍ରେଷ୍ଠ ଯୋଦ୍ଧା ଓ ଅନନ୍ୟ ଶିଷ୍ୟ ହେବା ପଛରେ ଥିଲା ତାଙ୍କ ଅଦମ୍ୟ ଜ୍ଞାନ ପିପାସା, ଅପରାଜେୟ ଆତ୍ମବିଶ୍ୱାସ ଓ ଆତ୍ମବଳ ଏବଂ ସର୍ବୋପରି ଅବିଶ୍ୱସନୀୟ ପ୍ରଚେଷ୍ଟା।
କିଛି ଦିନ ପୂର୍ବେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ଯୋଧପୁରର ଆଶା କାଣ୍ଡରା ଉତ୍ତୀର୍ଣ୍ଣ ହେବା ରାଜ୍ୟବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ସେ ଯୋଧପୁର ମହାନଗର ନିଗମର ଜଣେ ସଫେଇ କର୍ମଚାରୀ। ନିଜ କଠୋର ସାଧନା, ଦୃଢ଼ ମନୋବଳ ଓ ଅଦମ୍ୟ ପ୍ରଚେଷ୍ଟା ବଳରେ ସେ ଯେଉଁ ଆଶାତୀତ ସଫଳତା ପାଇଛନ୍ତି, ସେହିଭଳି ଯଶସ୍ବୀ ପ୍ରଶାସନିକ ସେବା ଅଧିକାରୀ ବିଜୟ ଅମୃତା କୁଲାଙ୍ଗେଙ୍କ ପିଲାଦିନ ଅତ୍ୟନ୍ତ ସଂଘର୍ଷମୟ ଓ ଯୁବସମାଜ ପାଇଁ ଉତ୍ସାହପ୍ରଦ। ଦିନମଜୁରିଆ ପରିବାରରେ ଜନ୍ମ ହୋଇ ଅତିଶୟ ଦାରିଦ୍ର୍ୟ, ଅଭାବ ତଥା ଆର୍ଥିକ ଦୁରବସ୍ଥା କୁଲାଙ୍ଗେଙ୍କ ପାଇଁ କେତେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିବ ତାହା ସହଜରେ ଅନୁମେୟ। ଗଞ୍ଜାମର ଜିଲାପାଳ ଭାବେ ଅସାଧାରଣ ପ୍ରଶାସନିକ ଦକ୍ଷତା ଓ ଶ୍ରଦ୍ଧାଶୀଳ ସେବା ଦ୍ୱାରା କରୋନା କବଳରୁ ଜିଲାର ହଜାର ହଜାର ଲୋକଙ୍କୁ ବଞ୍ଚେଇଛନ୍ତି ତାହା ପ୍ରଶଂସନୀୟ।
ଟୋକିଓ ଅଲିମ୍ପିକ୍ସରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇଥିବା ଖେଳାଳିମାନେ ଅନେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେହି ଜାଗାରେ ପହଞ୍ଚତ୍ଛନ୍ତି। ଆମ ରାଜ୍ୟର ଝିଅ ଦ୍ୟୁତି ଟୋକିଓ ଅଲିମ୍ପିକ୍ସ୍ରେ ଭାଗ ନେବା ପଛରେ ରହିଛି ନିଜର ଅଧ୍ୟବସାୟ, କଠୋର ପରିଶ୍ରମ, ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାର ସାମର୍ଥ୍ୟ। ଦ୍ୟୁତିଙ୍କ ଭଳି ଆହୁରି ରୋମାଞ୍ଚକର ଜୀବନୀ ହେଉଛି ତୀରନ୍ଦାଜ ପ୍ରବୀଣ ଯାଦବଙ୍କର। କି ସଂଘର୍ଷମୟ ଜୀବନଗାଥା! ଦିନମଜୁରିଆ ଘରର ପିଲା। ଏମିତିକି କରୋନା ତାଲାବନ୍ଦ ବେଳେ ଘର ଚଳେଇବା କଠିନ ହୋଇଗଲା ବୋଲି ଦିନମଜୁରିଆ ଭାବେ କାମ କରିଛନ୍ତି ପ୍ରବୀଣ। କିନ୍ତୁ ସବୁ ସଂଘାତ ଓ ସଂଘର୍ଷ ସତ୍ତ୍ୱେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହାନ୍ତି ସେ। ଏମାନେ ସେହି ସ୍ଥାନର ପହଞ୍ଚତ୍ବା ଲାଗି ସେମାନଙ୍କ ସଂଘର୍ଷ ଯୁୂବପିଢିଙ୍କୁ ପ୍ରେରଣା ଯୋଗାଇଛି। ତେଣୁ ବ୍ୟାସକବି କହନ୍ତି- ଉନ୍ନତିର ପଥ ବିଘ୍ନ ସତ ସତ, ବେଢ଼ିଛନ୍ତି ସ୍ଥଳେ ସ୍ଥଳେ, ହୋଇ ମହାବଳୀ ଚାଲ ପଦେ ଦଳି, ଉତ୍ସାହ ପ୍ରେରଣା ବଳେ।
କହିବାର ଅଭିପ୍ରାୟ ହେଉଛି, ମଣିଷ ନିଜ ସାମର୍ଥ୍ୟର ସଠିକ ଆକଳନ କରି ସବୁ ସମସ୍ୟା ଓ ପ୍ରତିବନ୍ଧକକୁ ସାହସର ସହ ଦୂର କରି ଆଗେଇ ପାରିଲେ ସଫଳତା ନିଶ୍ଚୟ ମିଳେ। ଏଭଳି ଉଦ୍ୟମୀ କର୍ମଯୋଗୀ ମଣିଷମାନଙ୍କୁ ପରମାତ୍ମାଙ୍କ ଅଦୃଶ୍ୟ ଆଶିଷ ମଧ୍ୟ ପ୍ରାପ୍ତ ହୋଇଥାଏ। ବଣରେ ସିଂହର ଉପନୟନ ସଂସ୍କାର କିମ୍ବା ରାଜା ଭାବରେ ଅଭିଷେକ ଆଦି କରାଯାଇନଥାଏ। ନିଜ ପରାକ୍ରମରେ ହିଁ ସେ ପଶୁରାଜ ପଦରେ ଅଧିକରଣ ହୋଇଥାଏ। ତେଣୁ ମଣିଷ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ସାମାନ୍ୟ ବାଧାବିଘ୍ନ ଦେଖି ନିଜ ଲକ୍ଷ୍ୟପଥରୁ ଓହରି ନ ଯାଇ କଠିନ ପରିଶ୍ରମ ବଳରେ ନିଜ ସାମର୍ଥ୍ୟର ପ୍ରାମାଣିକ ପରୀକ୍ଷା ଦେଇ ଜୀବନର ଚରମ ଲକ୍ଷ୍ୟପ୍ରାପ୍ତି ପାଇଁ ସଂକଳ୍ପ ନେବାକୁ ହେବ। ବିଶେଷକରି ଆଜିର ଯୁବସମାଜ ଏ ସମ୍ବନ୍ଧରେ ସଚେତନ ଓ ସମ୍ବେଦନଶୀଳ ହେବା ଜରୁରୀ। କ୍ଷଣିକ ସୁଖ ବା ସାମାନ୍ୟ ଅର୍ଥ ଓ ସ୍ବାର୍ଥ ପାଇଁ ନିଜ ଜୀବନକୁ ବରବାଦ ନ କରି ସତ୍ୟପଥର ଯାତ୍ରୀ ହୋଇ ନିଜ ପରମାର୍ଥ, ପରାକ୍ରମ ଓ ପରିଶ୍ରମ ବଳରେ ନିଜକୁ ସ୍ଥାପିତ କରିବାର ଶପଥ ନେବା ଉଚିତ। ସର୍ବୋପରି ସ୍ବପ୍ନ ସାକାରର ଅଦମ୍ୟ କ୍ଷୁଧା ଓ ଅବିଶ୍ୱାସ୍ୟ ପ୍ରଚେଷ୍ଟା ହିଁ ସେମାନଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ଦେଇପାରିବ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍, ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ୍, ଆଲ୍ବର୍ଟ ଆଇନ୍ଷ୍ଟାଇନ୍, ଥୋମାସ୍ ଏଡିସନ୍, ୱିନ୍ଷ୍ଟନ ଚର୍ଚ୍ଚିଲ, କ୍ରିକେଟର ସଚିନ ତେନ୍ଦୁଲକର, ଲେଖିକା ହ୍ୟାରୀ ପୋଟର, କୋଟିପତି ବିଲ୍ ଗେଟ୍ସ, ଆକାଶବାଣୀ ଦ୍ୱାରା ପ୍ରତ୍ୟାକ୍ଷିତ ବିଗ୍ ବି ଅମିତାଭ ବଚ୍ଚନ, ବାଲ୍ୟକାଳରୁ ଖନା ଥିବା ସଫଳ ସିନେ ଅଭିନେତା ଅନୁପମ ଖେର, ଫୁଟବଲ ଖେଳାଳି ଲିଓନେଲ ମେସି, ଚାର୍ଲି ଚାପ୍ଲିନ, କଲୋନେଲ୍ ସଣ୍ଡର୍ସ, ଖେଳାଳି ମାଇକେଲ ଜୋର୍ଡାନ୍ ଆଦି ବିଶ୍ୱପ୍ରସିଦ୍ଧ ବ୍ୟକ୍ତିମାନେ ଜୀବନରେ ବିଫଳତାରୁ ହିଁ ସଫଳତାର ସ୍ବାଦ ଚାଖିଛନ୍ତି। ତେଣୁ ବିଫଳତାକୁ ସଫଳତାରେ ବଦଳେଇବାର କୌଶଳ ଶିକ୍ଷା ହିଁ ପ୍ରକୃତ ଶିକ୍ଷା।
ଶେଷରେ ଏକ ଛୋଟ କାହାଣୀ। ନୀଳ ଆକାଶରେ ଅନାୟାସରେ ଉଡୁଥିବା ବେଳେ ମାଆ ପକ୍ଷୀଟି ଗର୍ଭଯନ୍ତ୍ରଣା ଅନୁଭବ କଲା। ଜାଣିପାରିଲା ନିଜ ଉତ୍ତରପିଢ଼ିକୁ ଜନ୍ମଦେବାର ବେଳ ଉପନୀତ। କିନ୍ତୁ ତଳେ ବିଶାଳ ସମୁଦ୍ର। ଯାହାହେଉ, ବହୁ କଷ୍ଟରେ ସମୁଦ୍ରକୂଳରେ ପହଞ୍ଚତ୍ ଅଣ୍ଡା ଦେଲା। କିନ୍ତୁ ଅବିଳମ୍ବେ ସମୁଦ୍ର ଢେଉ ଅଣ୍ଡାଟିକୁ ବିଶାଳ ସମୁଦ୍ର ଭିତରକୁ ନେଇଗଲା। ଆଖି ଆଗରେ ନିଜ ବଂଶ ବୁଡ଼ିଯିବା ଦେଖି ପକ୍ଷୀଟି ଅଣ୍ଡା ଫେରେଇବାକୁ ସମୁଦ୍ର ଦେବଙ୍କୁ ଅତ୍ୟନ୍ତ ନେହୁରା ହେଲା। କିଏବା ଶୁଣିବ ଏହି ଅସହାୟ ପକ୍ଷୀର ଆକୁଳ ନିବେଦନ! ସକଳ ପ୍ରଚେଷ୍ଟା ବିଫଳ ହେବା ପରେ ନିଜ ଚଞ୍ଚୁରେ ବାଲି ଆଣି ସମୁଦ୍ର ଶୁଖେଇବାର ସଂକଳ୍ପ ନେଇ କାମ ଆରମ୍ଭ କଲା। ଟିକି ପକ୍ଷୀଟିର ଅଦମ୍ୟ ପ୍ରଚେଷ୍ଟାରେ ପକ୍ଷୀରାଜ ଗରୁଡ଼ ସହ ସମଗ୍ର ପକ୍ଷୀକୁଳ ସମୁଦ୍ର କୂଳରେ ଯୋଗଦାନ କରି ମାଆ ପକ୍ଷୀର ସଂକଳ୍ପ ପୂର୍ଣ୍ଣ ପାଇଁ ଲାଗିପଡ଼ିଲେ। ଶେଷରେ ଭଗବାନ୍ ବିଷ୍ଣୁଙ୍କ ହସ୍ତକ୍ଷେପରେ ସମୁଦ୍ରଦେବ ବରୁଣ ସସମ୍ମାନେ ଅଣ୍ଡାଟିକୁ ଫେରେଇ ଦୁଃଖ ପ୍ରକାଶ କଲେ। କାହାଣୀ କାଳ୍ପନିକ ହୋଇପାରେ, କିନ୍ତୁ ଏହାର ନିର୍ଯାସ ଶିକ୍ଷଣୀୟ ଓ ପ୍ରେରଣାଦାୟୀ। ଅର୍ଥାତ୍ ନିଜକୁ ଛୋଟ ମନେ ନ କରି, ନିଜ ଦକ୍ଷତା ଓ ଅନ୍ତର୍ନିହିତ ଶକ୍ତିକୁ ଆବିଷ୍କାର କରି ସଠିକ କର୍ମ କଲେ ସବୁ ଅସାଧ୍ୟ ସାଧ୍ୟ ହୋଇପାରେ। ଆଶା, ଯୁବପିଢ଼ି ଏହି ପନ୍ଥା ଅନୁସରଣ କରିବେ।
ଅଧ୍ୟାପକ, ସରକାରୀ ମହାବିଦ୍ୟାଳୟ,
ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮