ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୯ା୬: ଅନ୍‌ଲକ୍‌ ୧.୦ ସମୟସୀମା ମଙ୍ଗଳବାର ଶେଷ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ (ଅନ୍‌ଲକ୍‌ ୨.୦) ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ସାରାଦେଶରେ କାର୍ଯ୍ୟକାରୀ ହେବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ପରାମର୍ଶ ଆଧାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ପର୍ଯ୍ୟାୟରେ ପୂର୍ବଭଳି ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେହିପରି ବିଭିନ୍ନ ଧାର୍ମିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ସର୍ବସାଧାରଣଙ୍କ ଲାଗି ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି। ଆବଦ୍ଧାଞ୍ଚଳରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି।
ଅନ୍‌ଲକ୍‌ ୨.୦ରେ ଘରୋଇ ବିମାନ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ ବୃଦ୍ଧିପାଇବ। ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ଆତିଥେୟତା ସେବା ଏବଂ ଆବଦ୍ଧାଞ୍ଚଳରେ ସପିଙ୍ଗ ମଲ୍‌ ବନ୍ଦ ରହିବ। ଯେଉଁ ଅଞ୍ଚଳରେ ଦୋକାନଗୁଡ଼ିକ ଖୋଲା ରହିବ, ସେଠାରେ ଏକସଙ୍ଗରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। ଦୋକାନରେ ପର୍ଯ୍ୟାପ୍ତ ସାମାଜିକ ଦୂରତା ବଜାୟ ରଖିବା ଲାଗି ନିର୍ଦ୍ଦେଶାବଳୀରେ କୁହାଯାଇଛି। କେବଳ ବନ୍ଦେ ଭାରତ ମିଶନରେ ଅନ୍ତର୍ଜାତୀୟ ଉଡ଼ାଣ ଲଶଗି ସୀମିତ ଅନୁମତି ଦିଆଯାଇଛି। ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସିନେମା ହଲ୍‌, ଜିମ୍ନାସିୟମ୍‌, ସ୍ବିମିଂ ପୁଲ୍‌, ପ୍ରମୋଦ ଉଦ୍ୟାନ, ଥିଏଟର, ବାର୍‌ସ, ଅଡିଟୋରିୟମ୍ସ, ସଭାଗୃହ ଆଦିି ବନ୍ଦ ରହିବ। ସେହିପରି ଆବଦ୍ଧାଞ୍ଚଳରେ ମେଟ୍ରୋସେବାକୁ ଅନୁମତି ମିଳିବ ନାହିଁ। ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶିକ୍ଷା, ସଂସ୍କୃତି, ଧାର୍ମିକ କାର୍ଯ୍ୟକ୍ରମ ଭଳି ବଡ଼ ସମାବେଶକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅନୁମତି ଦିଆଯିବନାହିଁ।
ଆନ୍ତଃରାଜ୍ୟ ଓ ଅନ୍ତଃରାଜ୍ୟରେ ଲୋକ ଓ ସାମଗ୍ରୀ ପରିବହନ ଉପରେକୌଣସି କଟକଣା ଜାରି କରାଯାଇନାହିଁ। ଏଥିପାଇଁ ସ୍ବତନ୍ତ୍ର ଅନୁମତି କିମ୍ବା ମଞ୍ଜୁରୀ ବା ଇ-ପର୍‌ମିଟ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଅନ୍‌ଲକ୍‌ ୨.୦ରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରିରହିବ। ତେବେ ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ କାର୍ଯ୍ୟକଳାପରେ କୋହଳ କରାଯାଇଛି।

Share