ରସୁଲପୁର,୧୨ା୯(ରଞ୍ଜିତ ରାଉତ): ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ରସୁଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କଲଣ ଠାରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ, ରୋଷଶାଳା, ଛାତ୍ରୀଛାତ୍ର ନିବାସ, ସାଇକେଲ ଷ୍ଟାଣ୍ଡ ଆଦି ନିର୍ମାଣ ପାଇଁ ପ୍ରସ୍ତାବ ରହଛି । ଏ ସବୁ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ହାତରେ ଅଛି । ଏପରି କି ସବୁ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ସରିଛି । ସେଥିମଧ୍ୟରୁ ୧ଶହ ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜୁନ୍ ୨୪ରେ ଉକ୍ତ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି । ସୂଚନା ଫଳକ ପ୍ରସ୍ତାବିତ ସ୍ଥାନରେ ଲାଗିଛି। ହେଲେ ଶିଳାନ୍ୟାସର ଅଢେଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ନିର୍ମାଣ ସଂକ୍ରାନ୍ତରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ । ଏବେ ବି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।
ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ୨ବର୍ଷ ବିତି ସାରିଲାଣି। ଏବେ ବି ତାର ନିଜସ୍ବ କୋଠା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ । ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଅଧୀନ ଏହି ବିଦ୍ୟାଳୟର କୋଠା ନିର୍ମାଣ ଅବଧି ଡିସେମ୍ବରରେ ଶେଷ ହେବ । ଏବେ ସୁଧା ନିର୍ମାଣଧୀନ କୋଠା ଭୂଇଁରୁ ଉଠି ପାରୁନାହିଁ। ତେଣେ ପ୍ରସ୍ତାବିତ ଛାତ୍ରୀ ନିବାସ ନିର୍ମାଣ ଅବସ୍ଥା ତା’ଠାରୁ ବଳି ପଡିଛି । ଏହି ପ୍ରକଳ୍ପ ନିର୍ମାଣକୁ ନେଇ ହୋଇଥିବା ବ୍ୟୟବରାଦ, ଆକଳନ, ଟେଣ୍ଡର ଅର୍ଥର ପରିମାଣ, କେତେ ଶତକଡା କମ୍ରେ ଟେଣ୍ଡର ପାସ ହୋଇଛି, କାର୍ଯ୍ୟର ଏଜେନ୍ସି, କାର୍ଯ୍ୟ ଆରମ୍ଭ ଓ ଶେଷ ହେବାର ଅବଧି ଆଦି ଯାବତୀୟ ସୂଚନା ବିଭାଗ ନିକଟରେ ଉପଲବ୍ଧ ହୋଇପାରୁ ନାହିଁ । ପ୍ରକଳ୍ପକୁ ନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ଏ ନେଇ ଆବଶ୍ୟକ କାଗଜପତ୍ର ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତଳିଆ କାର୍ଯ୍ୟାଳୟକୁ ଆସିନାହିଁ। ପ୍ରକଳ୍ପକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ଏ ନେଇ କୌଣସି ସୂଚନା ନ ଆସିବା ବିବାଦ ସୃଷ୍ଟି କରିଛି ।
ଏ ନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନରୋତ୍ତମ ଦାସଙ୍କୁ ପଚାରିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେ ସଂକ୍ରାନ୍ତରେ ମୁଁ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିବି ନାହିଁ । ମୋ ପାଖରେ କୌଣସି ତଥ୍ୟ ନାହିଁ । ସମୟ ଦେଲେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଜଣାଇବି । ପ୍ରକଳ୍ପକୁ ନେଇ ଠିକାସଂସ୍ଥା ସହ ଚୁକ୍ତିନାମା ହେବା ସମୟରେ ମୋ ପାଖକୁ ସବିଶେଷ ତଥ୍ୟ ଆସିବ ବୋଲି ସେ କହିଛନ୍ତି।