ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବାର ବ୍ୟବସ୍ଥା ନାହିଁ। ଦେଶର ଗଣତାନ୍ତ୍ରିକ ଇତିହାସରେ ଏହା ପ୍ରଥମ ପାର୍ଲାମେଣ୍ଟ ଭଙ୍ଗ। ପ୍ରଧାନମନ୍ତ୍ରୀ ଓଲିଙ୍କ ଏଭଳି ବିବାଦୀୟ ନିଷ୍ପତ୍ତି ବିରୋଧରେ ଅନେକ ବିରୋଧୀ ଦଳ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ନେପାଳ ରାଜନୈତିକ ଅନିଶ୍ଚିତତା ଭିତରକୁ ଟାଣିହୋଇ ଯାଇଛି। ନେପାଳ ଶାସକ ଦଳରେ ଦୀର୍ଘଦିନର ଗୋଷ୍ଠୀ କନ୍ଦଳ ପରେ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଗତ ରବିବାର ଏକତରଫା ନିଷ୍ପତ୍ତି ନେଇ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ। ଏହାକୁ ନେଇ ଶାସକ ଦଳରେ ମତଭେଦ ତୀବ୍ର ହେବା ସହ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଦେଶରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନ ଅନୁଯାୟୀ ଏକତରଫା ଭାବେ ପାର୍ଲାମେଣ୍ଟ ଭଙ୍ଗ କରିବା ଅଧିକାର ପ୍ରଧାନମନ୍ତ୍ରୀଙ୍କର ନ ଥିବାରୁ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଓଲିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଯଦି ଅଦାଲତ ମତ ଦିଅନ୍ତି, ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। ନଚେତ୍‌ ଏପ୍ରିଲ୍‌ ୩୦ ଓ ମେ’ ୧୦ରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଅନ୍ତରୀଣ ସରକାର କାର୍ଯ୍ୟ କରିବ।
ପାର୍ଲାମେଣ୍ଟ ଭଙ୍ଗକୁ ନେଇ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ତୀବ୍ର ମତଭେଦ ଦେଖାଦେଇଛି। ଓଲିଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ଅଲଗା କେନ୍ଦ୍ରୀୟ କମିଟି ବୈଠକ କରିବା ପରେ ଦଳ ବିଭାଜନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ଦଳରେ ନିଜ ସ୍ଥିତିକୁ ମଜଭୁତ କରିବା ଲାଗି ପ୍ରଧାନମନ୍ତ୍ରୀ ଓଲି ୧,୧୯୯ ସଦସ୍ୟ ବିଶିଷ୍ଟ ଏକ ନୂଆ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟି ଦଳୀୟ ସାଧାରଣ ସମ୍ମିଳନୀର ଆୟୋଜନ କରିବ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ରୀୟ କମିଟି ସଦସ୍ୟମାନଙ୍କ ବୈଠକରେ ଦଳର ଅନ୍ୟତମ ଅଧ୍ୟକ୍ଷ ଓଲି ନୂଆ କମିଟି ଘୋଷଣା କରିଥିଲେ। ଦଳୀୟ ମୁଖପାତ୍ର ପଦରୁ ନାରାୟଣ କାଜି ଶ୍ରେଷ୍ଠଙ୍କୁ ବହିଷ୍କାର କରାଯାଇ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ ଗ୍ୟାଓଦବାଲିଙ୍କୁ ନୂଆ ମୁଖପାତ୍ର ନିଯୁକ୍ତ କରାଯାଇଛି।
ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପୁଷ୍ପକୁମାର ଦହଲ ‘ପ୍ରଚଣ୍ଡ’ଙ୍କର ଦୀର୍ଘଦିନ ହେଲା କ୍ଷମତା କନ୍ଦଳ ଲାଗିରହିଥିବାବେଳେ ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ ଲାଗି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏନ୍‌ସିପି କେନ୍ଦ୍ରୀୟ କମିଟିରେ ୪୪୬ ସଦସ୍ୟ ଥିବାବେଳେ ସଂଖ୍ୟାଗରିଷ୍ଠତା ହାସଲ ଲକ୍ଷ୍ୟରେ ଓଲି ନୂଆ କମିଟିରେ ଆଉ ୫୫୬ ସଦସ୍ୟଙ୍କୁ ନେଇଛନ୍ତି।
ବିପକ୍ଷ ଗୋଷ୍ଠୀ ଦଳର ଆନୁଷ୍ଠାନିକ ବିଭାଜନ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ତାହା ପୂର୍ବରୁ ପ୍ରଧାନମନ୍ତ୍ରୀ ନୂଆ କମିଟି ଗଠନ କରିଛନ୍ତି। ପ୍ରଚଣ୍ଡଙ୍କ ନେତୃତ୍ୱରେ ବିପକ୍ଷ ଗୋଷ୍ଠୀ କାଠମାଣ୍ଡୁଠାରେ ଅନ୍ୟ ଏକ କେନ୍ଦ୍ରୀୟ କମିଟି ବୈଠକ କରିଥିଲେ। ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ, ଝଲାନାଥ ଖାନାଲ ଏବଂ ପୂର୍ବତନ କୃଷିମନ୍ତ୍ରୀ ଘନଶ୍ୟାମ ଭୁଷାଲ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତ ସହ ମାନଚିତ୍ର ବିବାଦ ପରେ ଓଲି ଭାବୁଥିଲେ ତାଙ୍କ ପଛରେ ଦେଶବାସୀ ଓ ଦଳର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ସେ ଦଳକୁ ପରିଚାଳନା କରିପାରିଲେ ନାହିଁ, ଯାହା ଫଳରେ ତାଙ୍କୁ ଏତେବଡ଼ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଲା। ଏହା ଏକ ଗୁରୁତର ସାମ୍ବିଧାନିକ ସଙ୍କଟ ବୋଲି ପୂର୍ବତନ କୂଟନୀତିଜ୍ଞ ତଥା ତ୍ରିଭୂବନ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ପ୍ରଫେସର ବିଜୟକାନ୍ତ କର୍ନ କହିଛନ୍ତି। ଗତ ଏପ୍ରିଲରେ ଶାସକ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିଥିଲା। ସେବେଠାରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଥିଲା।
୨୦୧୮ ମେ’ରେ ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ୟୁନିଫାଏଡ୍‌ ମାକ୍ସିଷ୍ଟ-ଲେନିନିଷ୍ଟ) ଏବଂ ପ୍ରଚଣ୍ଡଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓଇଷ୍ଟ ସେଣ୍ଟର) ମିଳିତ ହୋଇ ଏନ୍‌ସିପି ଗଠନ ହୋଇଥିଲା। ଦୁଇ ନେତା ଦଳର ଅଧ୍ୟକ୍ଷ ରହିବେ ଏବଂ ଅଢ଼େଇ ବର୍ଷରେ କ୍ଷମତା ବଦଳ ହେବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ଓଲି ସାଧାରଣ ପରିଷଦଠାରୁ ଦୂରେଇ ରହିବାରୁ ଉକ୍ତ ଡିଲ୍‌କୁ ମଞ୍ଜୁରୀ ମିଳିପାରିଲା ନାହିଁ। ଏହାକୁ ନେଇ ପ୍ରଚଣ୍ଡଙ୍କ ଗୋଷ୍ଠୀ କ୍ଷୁବ୍ଧ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କ ଦେହାନ୍ତରେ ପାକିସ୍ତାନର ଆସିଲା ପ୍ରଥମ ପ୍ରତିକ୍ରିୟା

ଇସଲାମାବାଦ,୨୭।୧୨: ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନେତା ଫୱାଦ ଚୌଧରୀ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ମନମୋହନଙ୍କ ପରଲୋକରେ ଭାଙ୍ଗିପଡ଼ିଲା ଆମେରିକା

ନୂଆଦିଲ୍ଲୀ,୨୭୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି। ମନମୋହନ ଏକାଧାରରେ ଜଣେ ରାଜନେତା, ଅର୍ଥନୀତିଜ୍ଞ ଏବଂ ପ୍ରଶାସକ।ସବୁ ଦଳର ନେତାଙ୍କ ସହ...

ପାକିସ୍ତାନର ଏହି ଗାଁରେ ଜନ୍ମ ନେଇଥିଲେ ମନମୋହନ, ଏବେ ତାଙ୍କ ନାମରେ ନିର୍ମାଣ ହୋଇଛି ସ୍କୁଲ; ପ୍ରଧାନମନ୍ତ୍ରୀ ହେବା ପରେ…

ନୂଆଦିଲ୍ଲୀ,୨୬।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ...

ଜୀବନ୍ତ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ, ମାତ୍ର କିଛି ମାସ ମଧ୍ୟରେ ଜନ୍ମନେବ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି, ଛୁଇଁପାରିବନି କୌଣସି ରୋଗ!

ବ୍ରାସିଲିଆ,୨୬।୧୨: ୨୦୨୪ ବର୍ଷ ଶେଷ ପାଇଁ କେବଳ ୫ଦିନ ବାକି ଅଛି ଏବଂ ସମଗ୍ର ବିଶ୍ୱରେ ଲୋକମାନେ ନୂତନ ବର୍ଷର ଆଗମନକୁ ଅପେକ୍ଷା କରି ରହିଛନ୍ତି।...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

କ୍ରିସ୍‌ମସ୍‌ରେ ବି ଛାଡ଼ିଲାନି ରୁଷିଆ

କିଭ୍‌,୨୬ା୧୨: ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍‌ମସ ପାଳନରେ ମସ୍‌ଗୁଲ ଥିବାବେଳେ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍‌ର...

ପଡ଼ୋଶୀ ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୪୬ ମୃତ, ଜବାବ ଦିଆଯିବ ବୋଲି କହିଲା…

କାବୁଲ, ୨୫।୧୨: ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍‌। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ...

କାଜାକିସ୍ତାନ ବିମାନ ଦୁର୍ଘଟଣାର ଭୟଙ୍କର ଭିଡିଓ ଆସିଲା ସାମ୍ନାକୁ

ଅସ୍ତାନା,୨୫।୧୨: ଆଜେରବାଇଜାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ବୁଧବାର କାଜାକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା କାଜାକିସ୍ତାନର ଅକଟାଉ ସହର ନିକଟରେ ଘଟିଛି। ବିମାନଟି ଆଜେରବାଇଜାନରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri