Categories: ଗଞ୍ଜାମ

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି। ହିଞ୍ଜିଳିକାଟୁ ସହରରେ ଗତ ଶନିବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷରେ ଉଭୟ ପକ୍ଷର ବହୁ ବ୍ୟକ୍ତି ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଗୋଟିଏ ପକ୍ଷର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଶଶିଭୂଷଣ ମାର୍ଗର ବନମାଳୀ ନାଇକ(୨୦), ଜିତୁ ବେହେରା (୧୯) ଓ ସୁମନ ମୁଖି(୨୦)। ଗିରଫ ମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାରେ ପୋଲିସ କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ଶନିବାର ରାତି ପ୍ରାୟ ୧୦ଟାରେ ଜୟ ମଙ୍ଗଳ ସାହିର ଅଚି ବେହେରା ସୁନାମୀ ଢିମିରା ଅଞ୍ଚଳରୁ ଫେରୁଥିବା ବାଟରେ ୬ରୁ ଉଦ୍ଧର୍‌ବ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଚି ଉପରେ ଆକ୍ରମଣ କରିଥିଲେ। ଏହି କଥା ଅଚି ଆସି ତାଙ୍କର ସାହି ଲୋକଙ୍କୁ ଜଣାଇଥିଲେ। ସାହିର କିଛି ବ୍ୟକ୍ତି ଏହାକୁ ନେଇ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କୁ ପଚାରିବାରୁ ସେମାନେ ସଙ୍ଗବଦ୍ଧ ହୋଇ ଆକ୍ରମଣ କରିଥିବା ଅଚି ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ନଂ ୩୯୪/୨୪ରେ ୭ରୁ ଉଦ୍ଧର୍‌ବ ବ୍ୟକ୍ତି ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଅନ୍ୟ ପକ୍ଷରେ ଲିପୁ ଦାସ ଏକ ପାଲଟା ଅଭିଯୋଗ କରିଛନ୍ତି ଯେ, ଶନିବାର ରାତି ରେ ସେ ଓ ତାଙ୍କ ସାଙ୍ଗ ଜଗନ ପଟ୍ଟନାୟକ ଘରେ କଥା ହେଉଥିଲେ। ଏହି ସମୟରେ ୨ଜଣ ଏକ ବାଇକରେ ଘର ସାମ୍ନାକୁ ଆସି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଖଣ୍ଡା, ଛୁରି ଓ ଠେଙ୍ଗା ଭଳି ମାରଣାସ୍ତ୍ର ଧରି ପ୍ରାୟ ୧୨ ରୁ ୧୫ ଜଣ ସଂଘବଦ୍ଧ ଭାବରେ ଲିପୁ ଓ ଜଗନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉଭୟ ଲିପୁ ଓ ଜଗନ ଗୁରୁତର ଆହତ ହୋଇଛନ୍ତି। ତେବେ ଜଗନଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଲିପୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନା ରେ ନଂ: ୩୯୬/୨୪ରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି। ସୋମବାର ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ପୂର୍ବରୁ ବିଭିନ୍ନ ଯାତ୍ରା ଓ ଦଣ୍ଡ ନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ବିବାଦ ଓ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀର ବହୁ ଯୁବକ ଗିରଫ ଭୟରେ ଲୁଚି ବୁଲୁଥିବା ରହିଥିବା ବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଅଶାନ୍ତି ଲାଗିରହିଛି।