ଅନିଶ୍ଚିତତାରେ ପରୀକ୍ଷାର୍ଥୀ

ଡ. ମୌସୁମୀ ପରିଡ଼ା

ମ୍ୟାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ୨୦୨୧ର ଶିକ୍ଷାବର୍ଷ ଏକ ସମସ୍ୟା ବହୁଳ ବର୍ଷ କହିଲେ ଭୁଲ୍‌ ହେବନାହିଁ। ଗତବର୍ଷ କୋଭିଡ୍‌ ସଂକ୍ରମଣ ଯୋଗୁ ବାକି ଥିବା ଗୋଟିଏ କିମ୍ବା ଦୁଇଟି ପେପର୍‌ର ପରୀକ୍ଷା ସିନା ବାତିଲ୍‌ ହୋଇଥିଲା, କିନ୍ତୁ ପିଲାମାନେ ପାଠ ତ ଠିକ୍‌ ଭାବେ ପଢ଼ିଥିଲେ ଓ ସେଥିପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ପାଇଥିଲେ। ଏଥର କିନ୍ତୁ ବର୍ଷଟା ସାରା ପାଠପଢ଼ାର ଭିନ୍ନ ପରିବେଶ। କୋଭିଡ୍‌ ସଂକ୍ରମଣ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା ପ୍ରକୃତ ଆବଶ୍ୟକତା ପୂରଣ କରିପାରିଲା ନାହିଁ। ଅବଶ୍ୟ ଏ ବର୍ଷ ଜାନୁୟାରୀ ଆଠ ତାରିଖରୁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେଲା, ଯେଉଁ ସମୟରେ ସମ୍ପୂର୍ଣ୍ଣ କୋର୍ସ ସରି ରିଭିଜନ୍‌ ହେଉଥାଏ। ସେ ଯାହା ବି ହେଉ ଅନ୍‌ଲାଇନ୍‌ ପାଠପଢ଼ାରୁ ଆରମ୍ଭ ହେଲା ଏଥର ଶିକ୍ଷାବର୍ଷ। କିନ୍ତୁ ସବୁ ପିଲା ଏହାର ଫାଇଦା ଉଠେଇପାରିଲେ ନାହିଁ।
ଅନ୍‌ଲାଇନ୍‌ ପାଠପଢ଼ା ଭିତରେ ନାହିଁ ନ ଥିବା ଅସୁବିଧାକୁ ସାମ୍ନାସାମ୍ନି କଲେ ଉଭୟ ବିଦ୍ୟାର୍ଥୀ, ଶିକ୍ଷକ, ଅଧ୍ୟାପକ। କେତେବେଳେ ନେଟ୍‌ ଆସୁ ନ ଥିଲା ତ କେତେବେଳେ ଖୁବ୍‌ ମନ୍ଥର ଥିଲା। ପିଲାମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟୁଥିଲା ତ କେତେବେଳେ ଶିକ୍ଷକ ବା ଅଧ୍ୟାପକଙ୍କର। ଶ୍ରେଣୀ ଗୃହର ପାଠପଢ଼ା ତୁଳନାରେ ଅନ୍‌ଲାଇନ୍‌ ପାଠପଢ଼ା ତା’ର ପ୍ରକୃତ ଚମକ ହରାଇଲା। ତେବେ ବି ଅନ୍‌ଲାଇନ୍‌ ପାଠପଢ଼ା ଜାରିରହିଲା ନିୟମ ମୁତାବକ।
ଏ ବର୍ଷ ଜାନୁୟାରୀ ଆଠ ତାରିଖରୁ କୋଭିଡ୍‌ ପାଇଁ ସ୍ବତନ୍ତ୍ର ନିୟମ ପାଳନ ପୂର୍ବକ ରବିବାର ସହିତ ଛୁଟିଦିନ ସବୁକୁ ବାତିଲ୍‌ କରି ପ୍ରଦାନ କରାଯାଉଥିବା ଶିକ୍ଷା, ପିଲାମାନଙ୍କ ଆବଶ୍ୟକତା କେତେ ପରିମାଣରେ ପୂର୍ଣ୍ଣ କରିପାରିଛି ସେକଥା ସମୟ କହିବ। ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣର ଅନ୍ଧାଧୁନିଆ ଦୌଡ଼ ପିଲାମାନଙ୍କୁ ଆଗକୁ କେତେ ସାମର୍ଥ୍ୟ କରିପାରିବ ତାହା ଚିନ୍ତାର ବିଷୟ। ଏବେ ପରୀକ୍ଷା ଖୁବ୍‌ ନିକଟରେ। ଅଥଚ ହାତରେ ଉପଯୁକ୍ତ ସମୟ ନାହିଁ ପ୍ରସ୍ତୁତ ହେବାକୁ।
ଗତବର୍ଷଠାରୁ ନିୟମିତ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଦେଇଆସୁଥିବା ଅଧ୍ୟାପକ ବା ଶିକ୍ଷକମାନେ ଶ୍ରେଣୀଗୃହର ପାଠପଢ଼ାରେ ପୁନର୍ବାର ସେହି ବିଷୟସବୁକୁ ପଢ଼ାଇ ସମ୍ପୂର୍ଣ୍ଣ କରାଇବା ଚ୍ୟାଲେଜିଂ ନିଶ୍ଚୟ। ଯେନତେନ ପ୍ରକାରେ ପାଠପଢ଼ା ଚାଲିଛି। ତା’ ସହିତ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳିତ ବି ହେଉଛି। ପିଲାମାନଙ୍କୁ ଠିକ୍‌ ରୂପେ ଶିକ୍ଷାଦାନ କରିବାକୁ ସବୁ ପ୍ରକାରର ଚେଷ୍ଟା ନିୟମାନୁସାରେ ପାଳନ ହେଲେ ବି ପ୍ରକୃତରେ କ’ଣ କିଛି ଅସୁବିଧା ନାହିଁ, ଭାବିବାର କଥା। ଯୁକ୍ତ ଦୁଇର ବିଷୟବସ୍ତୁ ଅନୁସାରେ ପ୍ରଶ୍ନାବଳୀର ଆକାର ଓ ପ୍ରକାର ମାର୍ଚ୍ଚ ଚାରି ତାରିଖରେ ଯେଉଁଭଳି ଭାବେ ପ୍ରକାଶିତ ହେଲା, ଯାହା ଜଣାପଡଛି ପାଶ୍‌ କରିବା ସହଜ ହୋଇପାରେ। କିନ୍ତୁ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟିଦେଲେ ଅନୁଭୂତ ହୁଏ ଯେ କିଛି ସମସ୍ୟା ତ ରହିଯାଉଛି। କାରଣ ପିଲାମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ ନିଜସ୍ବ ପାଠ ପଢ଼ିବାକୁ।
ବିଜ୍ଞାନରେ ପଢୁଥିବା ପିଲାଙ୍କ ପାଇଁ ସମସ୍ୟା ଗଭୀରତର। କୋଚିଂ ସେଣ୍ଟର୍‌ରେ ଘୋଡ଼ା ଦୌଡ଼ କରି ମଧ୍ୟ ପିଲାମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୋର୍ସ ସାରିପାରିନାହାନ୍ତି। ସ୍ବଳ୍ପ ସମୟ ଭିତରେ ଏତେଗୁଡ଼େ ବିଷୟ ସାରିବାକୁ ଉଭୟ ଅଧ୍ୟାପକ ଓ ପିଲାମାନେ କମ୍‌ କସରତ କରୁନାହାନ୍ତି। କୋଭିଡ୍‌ ପାଇଁ ସମୟ ସହ ଜୀବନର ଗତି ମଧ୍ୟ ବଦଳିଯାଇଛି! ଅନ୍ୟବର୍ଷଗୁଡ଼ିକରେ ପରୀକ୍ଷାର ଯଥେଷ୍ଟ ପୂର୍ବରୁ କୋର୍ସ ସାରି ଘରେ ପଢ଼ିବାକୁ ପାଖାପାଖି ତିନି, ଚାରିମାସ ସମୟ ପାଇଯାଉଥିଲେ ପିଲାମାନେ। କିନ୍ତୁ କୋଭିଡ୍‌ ପାଇଁ ସମୟ ସଙ୍କୁଚିତ ହୋଇଯାଇଥିବାରୁ ଏଥର ସେମାନେ ନିଜ ପାଠପଢ଼ାକୁ ନେଇ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ଅଭିଭାବକମାନେ ବି ପିଲାମାନଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ।
ପ୍ରଶ୍ନାବଳୀରେ କିପରି ପ୍ରଶ୍ନସବୁ ରହିବ ଓ କିପରି ପରୀକ୍ଷାଗୁଡ଼ିକ ନିର୍ଦ୍ୱନ୍ଦ୍ୱରେ ସମାପ୍ତ ହେବ, ପରୀକ୍ଷାର୍ଥୀଙ୍କ ସହ ଅଭିଭାବକମାନେ ଏ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବା ସାଧାରଣ କଥା। କାରଣ କରୋନାର ଦ୍ୱିତୀୟ ଲହରିଟି ଏବେ ଆମକୁ ଘାରିବା ଆରମ୍ଭ କଲାଣି। ପଞ୍ଜାବ ସରକାର ତାଙ୍କ ରାଜ୍ୟରେ ଦଶମ ଓ ଦ୍ୱାଦଶ ପିଲାଙ୍କ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ। ଅନ୍ୟ ରାଜ୍ୟଗୁଡ଼ିକ ଏ ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେବେ, ଯଦି ସଂକ୍ରମଣ ସୀମା ଉଲ୍ଲଂଘନ କରେ। ଏଭଳି ସ୍ଥଳରେ ପିଲାମାନଙ୍କ ସହିତ ଅଭିଭାବକମାନେ ମଧ୍ୟ ଚାପଗ୍ରସ୍ତ।
ଏବେ ଅନ୍ୟ ସମସ୍ୟାଗୁଡ଼ିକୁ ଦେଖିଲେ ଜଣାପଡ଼ିବ ଯେ, ଦିଆଯାଇଥିବା ପ୍ରଶ୍ନାବଳୀର ଆକାର ପ୍ରକାର ଅନୁଯାୟୀ ଗଣିତ ବିଭାଗରେ ଏକ ନମ୍ବର ବିଶିଷ୍ଟ ପଚାଶଟି ପ୍ରଶ୍ନ ପଡୁଥିବାରୁ ତିନିଘଣ୍ଟାରେ ପୂରା ୧୦୦ ନମ୍ବରର ଉତ୍ତର ଦେଇପାରିବା ସମ୍ଭବ ହେବ କି ନା ତାହା ବି ଏକ ପ୍ରଶ୍ନ। ସେହି ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ ପାଇଁ ଅତି କମ୍‌ରେ ଯଦି ଦୁଇରୁ ତିନି ମିନିଟ୍‌ ଦରକାର ହୁଏ, ମୋଟ ପଚାଶଟି ପ୍ରଶ୍ନର ଉତ୍ତର କରିବାକୁ ଶହେ ମିନିଟ୍‌ରୁ ଦେଢ଼ଶହ ମିନିଟ୍‌ ବା ଏକ ଘଣ୍ଟା ଚାଳିଶ ମିନିଟ୍‌ରୁ ଅଢ଼େଇ ଘଣ୍ଟା ସମୟ ଲାଗିବ। ହଁ, କିଛି ସହଜ ଓ କିଛି କଠିନ ପ୍ରଶ୍ନାବଳୀ ବି ଥିବ। ବାକି ପଚାଶ ନମ୍ବରର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନଗୁଡ଼ିକୁ ଧୀର ସ୍ଥିର ଭାବେ କରିବା ନିଶ୍ଚିତ ସମୟସାପେକ୍ଷ ଓ କଷ୍ଟକର। ଗଣିତରେ ପ୍ରାକ୍ଟିକାଲ୍‌ ନ ଥିବାରୁ ତାହା ମଧ୍ୟ ପିଲାମାନଙ୍କ ପାଇଁ ଏମିତିରେ ଏକ ପୁରାତନ ସମସ୍ୟା।
ଏସବୁ ବ୍ୟତୀତ ଏହି ଶିକ୍ଷାବର୍ଷରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସମୟ କିମ୍ବା ସ୍ଥିତି ଏମାନଙ୍କ ସପକ୍ଷରେ ନାହିଁ। ଏମିତିରେ ଯୁକ୍ତ ଦୁଇ ବିଜ୍ଞାନର ପାଠ୍ୟଖସଡା ବେଶ୍‌ ଓଜନିଆ। ସେହି ଅନୁସାରେ ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନସବୁ ବି ବେଶ୍‌ କଷ୍ଟକର। ଏଥର ନିଟ୍‌ କିମ୍ବା ଆଇ.ଆଇ.ଟି. ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଥିବା ପିଲାମାନେ ସମ୍ପୂର୍ଣ୍ଣ ବହିପାଠ ପଢ଼ିପାରି ନାହାନ୍ତି। ପ୍ରଥମରେ କୋଭିଡ୍‌ ପାଇଁ ତିରିଶ ପ୍ରତିଶତ ବିଷୟ ପ୍ରତ୍ୟେକ ବିଭାଗରୁ କଟିଥିବାରୁ ପିଲାମାନେ ସବୁ ବିଷୟରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି, ଯେଉଁଥିପାଇଁ ନିକଟରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାଗୁଡ଼ିକରେ ଏମାନେ ସଫଳ ହେବା ମୁସ୍କିଲ୍‌ ହେବ। ଏମିତିରେ ପର୍ଯ୍ୟାପ୍ତ ସମୟ ନାହିଁ ସେହି ସତୁରି ପ୍ରତିଶତ ପାଠକୁ ଆହରଣ କରିବାକୁ। ଏସବୁ ସ୍ଥିତିକୁ ପଙ୍ଖାନୁପୁଙ୍ଖ ଆଲୋଚନା କଲେ ମନେହେଉଛି ଏମାନେ ଏକ କଠୋର ପରିସ୍ଥିତି ଦେଇ ଗତିକରୁଛନ୍ତି ଯେପରି! କୋଭିଡ୍‌ ପାଇଁ ଯାହାସବୁ କ୍ଷତି ହୋଇଛି, ସେସବୁ ଭିତରେ ଏହି ବର୍ଗର ବିଦ୍ୟାର୍ଥୀମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି।
ଦ୍ୱିତୀୟ କଥା ହେଲା, ନିଟ୍‌ ତା’ର ବିଷୟବସ୍ତୁରେ କୌଣସି ପରିବର୍ତ୍ତନ କରିନାହିଁ ଯଦିଓ ଏଥର ପିଲାମାନଙ୍କ କୋର୍ସରୁ କିଛି ବିଷୟ କଟିଛି। ତେଣୁ ଏଥର ଅଗଷ୍ଟ ଏକ ତାରିଖରେ ହେଉଥିବା ନିଟ୍‌ ପରୀକ୍ଷାରେ ଏହି ଶିକ୍ଷାବର୍ଷର ପିଲାମାନେ ସଫଳ ହେବା ଅନିଶ୍ଚିତ; ଯାହାର ଫାଇଦା ପୂର୍ବ ବର୍ଷର ପିଲାମାନେ ବେଶି ପାଇପାରିବେ। ଏହି ଶିକ୍ଷାବର୍ଷର ପିଲାମାନେ କେବଳ ଏ ବର୍ଷ କାହିଁକି ଆସନ୍ତା ବର୍ଷଗୁଡ଼ିକରେ ବି ଅନେକ ଅସୁବିଧାର ସମ୍ମୁଖୀନ ହେବେ। ବର୍ତ୍ତମାନ ସମୟରେ ଆବଶ୍ୟକତାକୁ ଅନୁଧ୍ୟା କରି ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ ହେବା ଉଚିତ।
ଏସବୁ ଦିଗବାଗକୁ ଦୃଷ୍ଟିରେ ରଖି ନୂତନ ପଦକ୍ଷେପ ନିଆଗଲେ ପିଲାମାନଙ୍କ ମନଭିତରର ଅନିଶ୍ଚିତତା ଉଭେଇଯିବ। ଯଦି ଏମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷାଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇପାରନ୍ତା କିମ୍ବା ସ୍ଥିତିକୁ ଆଗରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଆନ୍ତା, ତେବେ ବହୁତ ଛାତ୍ରୀଛାତ୍ର ଉପକୃତ ହୁଅନ୍ତେ। କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ସରକାର ବହୁତ ଗଠନମୂଳକ କାର୍ଯ୍ୟ କରି ବିଶ୍ୱ ଦରବାରରେ ଉଚ୍ଚପ୍ରଶଂସିତ ହୋଇଛନ୍ତି। ଚ୍ୟାଲେଞ୍ଜଗୁଡ଼ିକୁ ସତର୍କତାର ସହ ଗ୍ରହଣ କରି ଲୋକପ୍ରିୟତା ହାସଲ କରିଛନ୍ତି। ଏବର୍ଷ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସେହିପରି କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଗଲେ ସେମାନେ ମଧ୍ୟ ନିଜ ମନଲାଖି ଭବିଷ୍ୟତ ଚୟନ କରିପାରନ୍ତେ ତଥା ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉପକୃତ ହୁଅନ୍ତେ।
mousumi.mama7@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri