Categories: ବାଣିଜ୍ୟ

ବ୍ୟାଙ୍କରେ ବଢୁଛି ଦାବିବିହୀନ ଜମାରାଶି

ଭୁବନେଶ୍ୱର,୨୦।୧୨(ଅଭୟ ଦାଶ): ଗତ କିଛି ବର୍ଷ ହେଲା କ୍ରମାଗତ ଭାବେ ଦେଶର ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଦାବିବିହୀନ ଜମାରାଶିର ପରିମାଣ ବୃଦ୍ଧି ପାଉଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ମୋଟ ୪୨,୨୭୨ କୋଟି ଟଙ୍କାର ଜମାରାଶି ରହିଥିବା ଜଣାପଡ଼ିଛି। ମଙ୍ଗଳବାର ରାଜ୍ୟ ସଭାର ଏକ ଅଣ ତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗଓ୍ବତ କେ କରାଡ କହିଛନ୍ତି, କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦାବିବିହୀନ ଜମା ରାଶିର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏପରିକି ଉକ୍ତ ଜମା ରାଶିର ପରିବାରଜନଙ୍କୁ ଖୋଜି ବାହାରକରିବା ସହ ହିତାଧିକାରୀଙ୍କ ପ୍ରକୃତ ଉତ୍ତରାଧିକାରୀଙ୍କୁ ବ୍ୟାଙ୍କରେ ଜମାହୋଇ ରହିଥିବା ଟଙ୍କା ଫେରାଇଦେବା ଆର୍‌ବିଆଇ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେହିଭଳି ଉଭୟ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ମଧ୍ୟ ଉକ୍ତ ଘଟଣାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆର୍‌ବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ କରାଡଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତର ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡିକରେ ମୋଟ ୪୨,୨୭୨ କୋଟି ଟଙ୍କା ଜମା ହୋଇରହିଛି। ଏପରିକି ୨୦୨୨ ସମାନ ଅବଧିରେ ମଧ୍ୟ ମୋଟ ୩୨,୯୩୪ କୋଟି ଟଙ୍କା ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡିକରେ ଜମା ହୋଇରହିଥିଲା। ସେହିଭଳି ୨୦୨୨ ମାର୍ଚ୍ଚ ତୁଳନାରେ ୨୦୨୩ ମାର୍ଚ୍ଚରେ ମୋଟ ଜମାର ଅଭିବୃଦ୍ଧି ପ୍ରାୟ ୨୮% ହୋଇଛି ବୋଲି ମନ୍ତ୍ରୀ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ସେହିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ମୋଟ ୩୬୧୮୫ କୋଟି ଟଙ୍କା ଜମା ହୋଇଥିଲାବେଳେ ଘରୋଇ ବ୍ୟାଙ୍କରେ ମୋଟ ୬୦୮୭ କୋଟି ଟଙ୍କା ଜମା ହୋଇରହିଛି। ସୂଚନାଯୋଗ୍ୟ, ପ୍ରତି ବର୍ଷ କିମ୍ବା ୧୦ବର୍ଷରୁ ଅଧିକ ସମୟ ଧରି କାରବାର ହୋଇ ନ ଥିବା ବ୍ୟାଙ୍କ ଖାତା (ଜମାରାଶି)ର ହିତାଧିକାରୀଙ୍କ ନାମରେ ଏକ ସ୍ବତନ୍ତ୍ର ପତ୍ର ସମ୍ପୃକ୍ତ ବ୍ୟାଙ୍କ ପକ୍ଷରୁ ଆର୍‌ବିଆଇ ଓ ବ୍ୟାଙ୍କ ଉଚ୍ଚ କର୍ତ୍ତ୍‌ୃପକ୍ଷଙ୍କ ନିକଟଙ୍କୁ ପଠାଯାଇଥାଏ। ପରବର୍ତ୍ତୀ ସମୟରେ ଉକ୍ତ ଖାତା ଦାବିବିହୀନ ଜମାରାଶି ଗ୍ରୁପ୍‌ରେ ସାମିଲ ହୋଇଯାଇଥାଏ।

Share