ରାଇକିଆ,୮ା୭: କନ୍ଧମାଳ ଜିଲା ରାଇକିଆ ଥାନା ରଣବା ପଞ୍ଚାୟତ ଇରିପୁଡ଼ା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଜମି ବିବାଦକୁ ନେଇ ପୁତୁରାର ଠେଙ୍ଗା ମାଡ଼ରେ ଦାଦାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରି ନାୟକ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ପୁତୁରା ବିପ୍ର ନାୟକ ଫେରାର୍ ଥିବା ପୋଲିସ କହିଛି।
ଗାଁରେ ଜମିବାଡିକୁ ନେଇ ଦାଦା-ପୁତୁରାଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଏହି ବିବାଦ ଉଗ୍ର ରୂପ ନେଇଥିଲା। କୌଣସି ଏକ କଥାକୁ ନେଇ ପୁତୁରା ବିପ୍ର ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ଦାଦାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହରିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ରାଇକିଆ ଥାନାରେ ନଂ.୬୬/୨୧ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।