ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ଜୀବନଗଲା: ଭଉଣୀ ଦେଲେ ଏତଲା

ଡାବୁଗାଁ,୪।୭(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେଭିନ୍ୟୁଗୁଡାରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଭଣଜା ଠେଙ୍ଗା ମାଡ଼ରେ ମାମୁଙ୍କ ମୃତ୍ୟୁ ଘଟିଛି। ମୃତ ମାମୁ ହେଲେ ଗୌରଚନ୍ଦ୍ର ଗୌଡ(୫୦)।
ସୂଚନାଯୋଗ୍ୟ, ଗୌରଚନ୍ଦ୍ର ଓ ସ୍ତ୍ରୀ ବୁଡ଼ୁଙ୍କ ମଧ୍ୟରେ କୌଣସି କାରଣରୁ ଅଶାନ୍ତି ଲାଗି ରହୁଥିଲା। ଗୌରଚନ୍ଦ୍ର ଡାବୁଗାଁ ନିକଟ ଚେରଚେଟିଆଗୁଡାଠାରେ ଏକ କ୍ୟାମ୍ପରେ ରୋଷେଇୟା ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବୁଡ଼ୁ ଓ ଭଣଜା ଲକି ତାଙ୍କ ପାଖକୁ ଯାଇଥିଲେ। ସେଠାରେ ମାମୁ ଭଣଜାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଲକି ଗୌରଚନ୍ଦ୍ରଙ୍କୁ ମାରିଥିଲେ। ପରେ ତାଙ୍କୁ ଦୁହେଁ ଡାବୁଗାଁ ସ୍ବାସ୍ଥ୍ୟାକେନ୍ଦ୍ର ନେଇଥିଲେ । ସେଠାରୁ ଆସିବା ପରେ ଘରେ ପୁଣି ଉଭୟ ମାମୁ ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା। ଲକି ଉତ୍ୟକ୍ତ ହୋଇ ଗୌରଚନ୍ଦ୍ରଙ୍କୁ ଠେଙ୍ଗାରେ ପିଟିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାବୁଗାଁ ସ୍ବାସ୍ଥ୍ୟାକେନ୍ଦ୍ର ନିଆଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମାତ୍ର ସେମାନେ ତାଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଝିଅ ସଞ୍ଜୁ ଗୌଡ ଡାବୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ.୧୩୦/୨୦ରେ ମାମଲା ରୁଜୁ କରି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅନ୍ୟପଟେ ଅଭିଯୁକ୍ତ ଭଣଜା ଘଟଣାସ୍ଥଳରୁ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଡ଼ାଉ କରି ଲକିଙ୍କୁ ଥାନାରେ ଅଟକ ରଖିଛି ।

Share