Advertisement

ମହାକୁମ୍ଭରେ ଅସମ୍ଭାଳ ଭିଡ଼

ପ୍ରୟାଗରାଜ,୧୧ା୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅଭୂତପୂର୍ବ ଭିଡ଼ ହୋଇଛି। ଅସମ୍ଭାଳ ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି ୩୦୦ କି.ମି. ବ୍ୟାପୀ ଟ୍ରାଫିକ୍‌ ଜାମ୍‌ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ‘ବିଶ୍ୱର ସବୁଠୁ ବଡ଼ ଟ୍ରାଫିକ୍‌ ଜାମ୍‌’ ବୋଲି ଦର୍ଶାଇବା ସହ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଭିଡ଼ ନିୟନ୍ତ୍ରଣରେ ୟୁପି ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି। ଅଖିଳେଶ କହିଛନ୍ତି, ଯୋଗୀ ସରକାରଙ୍କ ବିଫଳତା ଯୋଗୁ ସୃଷ୍ଟ ଟ୍ରାଫିକ୍‌ ଜାମ୍‌ ପ୍ରୟାଗରାଜରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବୃଦ୍ଧି ଘଟାଇଛି। ପୋଲିସ ପ୍ରଶାସନ ଫସିରହିଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାରୁ ତୁରନ୍ତ ମୁକୁଳାଇବା ବ୍ୟବସ୍ଥା କରନ୍ତୁ।

ବସନ୍ତ ପଞ୍ଚମୀର ଅମୃତ ସ୍ନାନ ପରେ ଭିଡ଼ କମିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। କିନ୍ତୁ ରବିବାରଠାରୁ ପ୍ରୟାଗରାଜରେ ପବିତ୍ର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ ଲକ୍ଷ୍ନୌରୁ ପ୍ରୟାଗରାଜକୁ ଯିବାକୁ ହେଲେ ୫ ଘଣ୍ଟା ଲାଗୁଛି ବୋଲି ଜଣେ ବ୍ୟକ୍ତି କହିଛନ୍ତି। ଆଉ ଜଣେ ଶ୍ରଦ୍ଧାଳୁଙ୍କ ମତରେ ଲୋକେ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାମ୍‌ରେ ଫସିରହିଛନ୍ତି। ୫୦ କି.ମି. ଅତିକ୍ରମ କରିବାକୁ ୧୦-୧୨ ଘଣ୍ଟା ସମୟ ଲାଗିଯାଉଛି। ପ୍ରୟାଗରାଜ ସହର ମଧ୍ୟରେ ପ୍ରାୟ ୭ କି.ମି. ଏବଂ ସେଠାରୁ ବାରାଣସୀ, ଲକ୍ଷ୍ନୌ ଓ କାନପୁରକୁ ଯାଇଥିବା ରାସ୍ତାରେ ୨୫ କି.ମି. ପର୍ଯ୍ୟନ୍ତ ଭିଡ଼ ଲାଗିରହିଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପ୍ରୟାଗରାଜ ସଙ୍ଗମ ରେଳଷ୍ଟେଶନକୁ ବନ୍ଦ କରିଦିଆଯାଇଛି। ଭିଡ଼ର ପ୍ରଭାବ ପଡ଼ୋଶୀ ମଧ୍ୟପ୍ରଦେଶର କେତେକ ଜିଲାରେ ମଧ୍ୟ ପରିଲକ୍ଷିତ ହୋଇଛି। ୨୦୦-୩୦୦ କି.ମି. ପର୍ଯ୍ୟନ୍ତ ଏଭଳି
ଭିଡ଼ ଲାଗିରହିଥିବା

ମଧ୍ୟପ୍ରଦେଶର ମଇହାର ପୋଲିସ ପକ୍ଷରୁ କୁହାଯାଇଛି। ରଓ୍ବୋ ଜୋନ୍‌ ପୋଲିସ ଆଇଜି ପ୍ରକାଶ ପାଣ୍ଡେ କହିଛନ୍ତି, ମଧ୍ୟପ୍ରଦେଶ ପୋଲିସ ପ୍ରୟାଗରାଜ ପ୍ରଶାସନ ସହ ସମନ୍ବୟ ରଖି ଟ୍ରାଫିକ୍‌ ଦୁରବସ୍ଥା ଏଡ଼ାଇବାକୁ ଉଦ୍ୟମ ଚଳାଇଛି। ଦିନେ ଦୁଇଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share