କଂଗ୍ରେସରେ ସୁନ୍ଦରଗଡ଼ ଜିଲାର ବିଜେଡି, ସିପିଏମ୍‌ କର୍ମୀ

ଭୁବନେଶ୍ୱର,୮।୧୦(ଅନିଲ ଦାସ): କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସିି) ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ସୁନ୍ଦରଗଡ଼ ଜିଲା ତଲସରା ବ୍ଲକ, ନୂଆଗାଁ ବ୍ଲକ ଏବଂ ବୀରମିତ୍ରପୁର ମ୍ୟୁନିସିପାଲିଟିର କେତେକ ବିଜେଡି ଓ ସିପିଏମ୍‌ କର୍ମୀ ଏହି ସର୍ବପୁରାତନ ଦଳରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଶନିବାର ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ସମସ୍ତ କର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଗଦାନ ସୁନ୍ଦରଗଡ଼ ଜିଲାରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବ । ସୁନ୍ଦରଗଡ଼ ଜିଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ସରୋଜିନୀ ବାଙ୍କୀ, କଂଗ୍ରେସ ନେତା ପ୍ରଦୀପ ମିଞ୍ଜ ଓ ଜିଲା କଂଗ୍ରେସ ସମ୍ପାଦକ ରାଜନ ଦାଶଙ୍କ ତତ୍ତ୍ୱାବଧାନରେ ଏହି କର୍ମୀମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ଯୋଗଦେଇଥିବା କର୍ମକର୍ତ୍ତା ହେଲେ ପୂର୍ବତନ ସରପଞ୍ଚ ଜିଡେନ୍‌ ଓରାମ୍‌, ଲିଲି ଲାର୍କା, ପୌଲିନା ଡୁଙ୍ଗଡୁଙ୍ଗ, ରଞ୍ଜିତା ଲାକ୍ରା, ମେଡିଲିନ୍‌ ଲାକ୍ରା, ପିଟର ଲାକ୍ରା, ରଜତ କୁମାର ମିଞ୍ଜ, ସୁରେଶ ଟପ୍ଲେ, ଶ୍ରୀନୁସ୍‌ ବୋର୍ଡ, ରଜତ ଲାକ୍ରା, ବୁଦ୍ଧିରାମ ବଡ଼ାଇ, ଚନ୍ଦନ ଦାସ, ଜ୍ୟୋତି ଲାକ୍ରା ଓ ରୋଜାଲିନ୍‌ ଲାକ୍ରା । ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ଯେ, କଂଗ୍ରେସ ଦଳ ଆମମାନଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିଷ୍ଠାର ସହ ପାଳନ କରିବୁ । ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ତରୁଣକାନ୍ତ ମିଶ୍ର ଓ କଂଗ୍ରେସ ନେତା ମିହିର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Share