ଅଘୋଷିତ ଆସନ: ଭୁବନେଶ୍ୱରରେ ଡେରା ପକାଇଛନ୍ତି ବିଧାୟକ

ଭୁବନେଶ୍ୱର, ୯ା୪(ଅନିଲ ଦାସ):ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ଏବଂ ବିଧାୟକଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଘୋଷଣା ହେବାକୁ ଥିବା ବହୁ ଆସନର ବିଧାୟକମାନେ ନିଜ ଟିକେଟକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ଆଶାୟୀ ସେମାନଙ୍କ ସ୍ବର ଆହୁରି ଶାଣିତ କରିଛନ୍ତି। ନବୀନ ନିବାସରେ ସକାଳ ହେବା ମାତ୍ରେ ଆଶାୟୀଙ୍କ ସମର୍ଥକଙ୍କ ଭିଡ଼ ଲାଗିଯାଉଛି। ଘୋଷଣା ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଟିକେଟ ବଣ୍ଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀ ଏକାମ୍ର ଓ ଉତ୍ତର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ମଧ୍ୟ ନିର୍ବାଚନ ମଣ୍ଡଳୀ ଲଟକି ରହିଛି। ଏଠାରେ ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ ପାଇବା ପାଇଁ ଜୋର୍‌ସୋର ଉଦ୍ୟମ ଚଳାଇଥିବା ବେଳେ କର୍ପୋରେଟର ଅମରେଶ ଜେନା ଏବଂ ରୁଦ୍ର ସାମନ୍ତରାୟ ମିଳିତ ଭାବେ ଅଭିଯାନ ଜାରି ରଖିଛନ୍ତି। ଉଭୟ ଅନନ୍ତଙ୍କ ପ୍ରାର୍ଥତ୍ତ୍ୱକୁ କଡ଼ା ବିରୋଧ କରୁଛନ୍ତି। ଉଭୟ ପକ୍ଷଙ୍କୁ ଡାକି ବିଜେଡିର ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସ୍ଥିତିିରେ ଦଳ ଉଭୟଙ୍କୁ ବାଦ୍‌ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। ବିଜେଡି ସାଧାରଣ ସମ୍ପାଦକ ଦୁର୍ଗା ସାମନ୍ତରାୟ ଏବଂ ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି। ଏହା ଭିତରେ ଅନନ୍ତ ଏବଂ ଅମରେଶ-ରୁଦ୍ର ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନରେ ଲାଗିଛନ୍ତି। ରବିବାର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଅନନ୍ତ ଏକ ସମାବେଶ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରି ଟିକେଟ ପାଇଁ ଦାବି ଦୋହରାଇଛନ୍ତି। ତେବେ ବିଜେଡି ଅବଶିଷ୍ଟ ଆସନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି।

Share