୧୫ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରିର ଶୁଭଲକ୍ଷ୍ମୀ

ନୀଳଗିରି,୧୬ା୧୧(ପ୍ରଶାନ୍ତ ବିଶ୍ୱାଳ)ନୀଳଗିରି ନିର୍ବାଚନ ମଣ୍ଡଳୀ ସିଆଡ଼ିମାଳ ଗ୍ରାମର ବାବୁଲା ସିଂଙ୍କ ଝିଅ ଶୁଭଲକ୍ଷ୍ମୀ ୧୫ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଏନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
ଶିକ୍ଷକ ବାବୁଲା ସିଂ ଓ ବାସନ୍ତୀ ସିଂଙ୍କ ଏକମାତ୍ର କନ୍ୟା ଶୁଭଲକ୍ଷ୍ମୀଙ୍କ ପିଲାଟି ଦିନରୁ କ୍ରିକେଟ୍‌ ପ୍ରତି ଦୁର୍ବଳତା ଥିଲା। ବାବୁଲା ତାଙ୍କୁ ଉତ୍ସାହିତ କରିଆସୁଥିଲେ। ନୀଳଗିରି ନିମ୍ସ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪ ବର୍ଷୀୟା ଶୁଭଲକ୍ଷ୍ମୀ ବାଲେଶ୍ୱର ଜିଲାସ୍ତରରୁ ଖେଳ ଆରମ୍ଭ କରି ଓଡ଼ିଶା ୧୫ ବର୍ଷରୁ କମ୍‌ ମହିଳା ଦଳରେ ସାମିଲ ହୋଇ ତାଙ୍କ ଅଧିନାୟକତ୍ୱରେ ୫ଟି ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ପଶ୍ଚିମବଙ୍ଗ ଯାତ୍ରା କରିଥିଲେ। ତିନୋଟିରେ ଶୁଭଲକ୍ଷ୍ମୀଙ୍କ ଅଧିନାୟକତ୍ୱରେ ଦଳ ଉନ୍ନତ ପ୍ରଦର୍ଶନ କରିବା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ସହ ଖେଳି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଉଭୟ ବ୍ୟାଟିଂ ଓ କିପିଂରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ଆସନ୍ତା ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଜୁରାଟରେ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଓଡ଼ିଶା ମହିଳା ଦଳରେ ସାମିଲ ହୋଇଛନ୍ତି। ନୀଳଗିରି ସମେତ ବାଲେଶ୍ୱର ଜିଲାର ବହୁ ଖେଳପ୍ରେମୀ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଶୁଭଲକ୍ଷ୍ମୀ ନୀଳଗିରି ପାଇଁ ଗୌରବ ଆଣନ୍ତୁ ବୋଲି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଶୁଭେଚ୍ଛା ବାର୍ତ୍ତାରେ ଜଣାଇଛନ୍ତି।
Share