Categories: ଜାତୀୟ

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ଉଦୟ ସାହାରନ ଭାରତ ଅଧିନାୟକ

ମୁମ୍ବାଇ, ୨୬।୧୧(ପି.ଟି.):ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଡିସେମ୍ବର ୮ରୁ ଖେଳାଯିବ। ଉଦୀୟମାନ ବ୍ୟାଟର ଉଦୟ ସାହାରନଙ୍କୁ ଗତଥରର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ସାହାରନ ହେଉଛନ୍ତି ପଞ୍ଜାବର ଜଣେ ୧୯ ବର୍ଷୀୟ କ୍ରିକେଟର। ସେ ଚୟନକର୍ତ୍ତାଙ୍କ ନଜରରେ ରହିଆସିଥିଲେ। ଗତବର୍ଷ ଆଣ୍ଟିଗୁଆଠାରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବେଳେ ଭାରତୀୟ ଦଳ କୋଭିଡ୍‌ର ଶିକାର ହୋଇଥିବା ବେଳେ ତାଙ୍କୁ ଜଣେ ବ୍ୟାକ୍‌ଅପ୍‌ ଖେଳାଳି ଭାବେ ମନୋନୀତ କରାଯାଇଥିଲା। ସୌମି କୁମାର ପାଣ୍ଡେଙ୍କୁ ୧୫ ଜଣିଆ ଦଳର ଉପଅଧିନାୟକ କରାଯାଇଛି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ହେଉଛି ସବୁଠାରୁ ସଫଳତା ହାସଲ କରିଥିବା ଦଳ। ଏହି ଦଳ ୮ଥର ଟାଇଟଲ ଜିତିପାରିଛି। ଟୁର୍ନାମେଣ୍ଟରେ ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ସହିତ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛନ୍ତି। ଡିସେମ୍ବର ୮ରେ ଆଇସିସି ଏକାଡେମୀ ଓଭାଲ-୧ଠାରେ ଆଫଗାନିସ୍ତାନକୁ ଭେଟି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ମଧ୍ୟ ସମାନ ଭେନ୍ୟୁରେ ପାକିସ୍ତାନକୁ ଡିସେମ୍ବର ୧୦ରେ ଭେଟିବ। ଦଳ ନେପାଳ ବିପକ୍ଷ ଫାଇନାଲ ଗ୍ରୁପ୍‌ ମ୍ୟାଚ୍‌ ଡିସେମ୍ବର ୧୨ରେ ଖେଳିବ। ଅନ୍ୟପକ୍ଷରେ ଗ୍ରୁପ୍‌ ବି’ରେ ବାଂଲାଦେଶ, ୟୁଏଇ, ଜାପାନ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି। ଫାଇନାଲ ମ୍ୟାଚ ଡିସେମ୍ବର ୧୭ରେ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ।
୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ ଦଳ: ଉଦୟ ସାହାରନ(ଅଧିନାୟକ), ସୌମି କୁମାର ପାଣ୍ଡେ (ଉପ-ଅଧିନାୟକ), ଆଶିଷ କୁଲକର୍ନୀ, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ସଚିନ ଧାସ୍‌, ପ୍ରିୟାଂଶୁ ମୋଲିଆ, ମୁଶିର ଖାନ୍‌, ଧନୁଷ ଗୌଡ଼ା, ଅବିନାଶ ରାଓ (ଉଇକେଟ୍‌କିପର), ଏମ୍‌. ଅଭିଷେକ, ଇନେଶ ମହାଜନ (ଉଇକେଟ୍‌କିପର), ଆରାଧ୍ୟ ଶୁକ୍ଳା, ରାଜ ଲିମ୍ବାନୀ ଓ ନମନ ତିଓ୍ବାରୀ।
ଟ୍ରାଭେଲିଂ ରିଜର୍ଭ: ପ୍ରେମ ଦେବକର, ଅଂଶ ଗୋସାଇ, ମହମ୍ମଦ ଅମନ।
ନନ୍‌ ଟ୍ରାଭେଲିଂ ରିଜର୍ଭ: ଦିଗ୍‌ବିଜୟ ପାଟିଲ, ଜୟନ୍ତ ଗୋୟାତ, ପି. ବିଗ୍ନେଶ, କରଣ ଚୋର୍‌ମେଲ।

Share