Categories: ଖେଳ

୨୦ ବର୍ଷରୁ କମ୍‌ ଫୁଟବଲ୍‌ ବିଶ୍ୱକପ୍‌: ଉରୁଗୁଏ ଚାମ୍ପିୟନ

ଲା ପ୍ଲାଟା(ଆର୍ଜେଣ୍ଟିନା),୧୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପରେ ଉରୁଗୁଏ ଚାମ୍ପିୟନ ହୋଇଛି। ଫାଇନାଲରେ ଇଟାଲୀକୁ ଦଳ ୧-୦ରେ ପରାସ୍ତ କରି ଉରୁଗୁଏ ପ୍ରଥମ ଟାଇଟଲ୍‌ ହାସଲ କରିଛି। କ୍ରମାଗତ ୪ଟି ସଂସ୍କରଣରେ ୟୁରୋପୀୟ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଏହି ଧାରା ଭାଙ୍ଗିବାରେ ସଫଳ ହୋଇଛି ଉରୁଗୁଏ। ଦଳ ପକ୍ଷରୁ ୮୬ତମ ମିନିଟରେ ଲୁସିଆନୋ ରୋଡ୍ରିଗୁଏଜ୍‌ ବିଜୟ ଗୋଲ୍‌ ଦେଇଥିଲେ। ସେହିପରି ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଇସ୍ରାଏଲ ୩-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।

ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ରହିଥିଲା। ଉରୁଗୁଏ ପ୍ରାଧାନ୍ୟ ବିସ୍ତାର କରି ଖେଳି ଥିଲେ ହେଁ ଇଟାଲୀ ନିକଟରେ ମଧ୍ୟ ଗୋଲ ସ୍କୋର କରିବାର ସୁଯୋଗ ରହିଥିଲା। ତେବେ ଟୁର୍ନାମେଣ୍ଟର ସର୍ବାଧିକ ଗୋଲ ସ୍କୋରର ସିଜର କାସେଡାଇଙ୍କ ପ୍ରଦର୍ଶନ ଆଖିଦୃଶିଆ ରହି ନ ଥିଲା। ଦୁଇ ଦୁଇଥର ସ୍କୋର କରିବାର ସୁଯୋଗ ପାଇ କାସେଡାଇ ବିଫଳ ହେବା ସହିତ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଇଟାଲୀକୁ ନିରାଶ ହେବାକୁ ପଡିଥିଲା। ମ୍ୟାଚ୍‌ର ୮୬ ମିନିଟ ପର୍ଯ୍ୟନ୍ତ ଉଭୟ ଦଳ ପରସ୍ପରକୁ ଗୋଲ ଦେଇ ପାରି ନ ଥିଲେ। ୮୬ ତମ ମିନିଟରେ ଏକ ଚମତ୍କାର ହେଡର ଜରିଆରେ ଲୁସିଆନୋ ରୋଡ୍ରିଗୁଏଜ୍‌ ସ୍କୋର କରିବା ସହିତ ଉରୁଗୁଏ ଟ୍ରଫି ହାତେଇ ନେଇଥିଲା। ପ୍ରଥମ ଥର ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଇସ୍ରାଏଲ ୩-୧ରେ ଦକ୍ଷିଣ କୋରିଆକୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି।

Share